କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତର ଦିଲ୍ଲୀପ ମାଝୀ । ସ୍ୱର୍ଗତ ତ୍ରିଲୋଚନ ମାଝୀ ଓ ଟେଭା ମାଝୀଙ୍କ ପୁତ୍ର ଦିଲ୍ଲୀପ ୨୦୦୭ ମସିହା ସେପ୍ଟେମ୍ବର ମାସ ୨୪ ତାରିଖରେ ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିଲେ । ଦୀର୍ଘ ୧୮ ବର୍ଷ ବୀରତାର ସହିତ ଦେଶର ବିଭିନ୍ନ ଜାଗାରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଗତ ନଭେମ୍ବର ମାସ ୩୦ ତାରିଖରେ ସୈନ୍ୟ ବାହିନୀରୁ ଅବସର ନେଇଛନ୍ତି ଦିଲ୍ଲୀପ ମାଝୀ । ଡିସେମ୍ବର ୧ ତାରିଖରେ ମା’ ମାଟି ନିଜ ଜନ୍ମଭୂମିକୁ ଫେରି ଆସିଛନ୍ତି । ସେ ଯେତେବେଳେ କେସିଙ୍ଗା ରେଳ ଷ୍ଟେସନରେ ଓହ୍ଲାଇଲେ ତାଙ୍କୁ ସେଠାରେ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଶହ ଶହ ସଂଖ୍ୟାରେ ପରିବାର ବର୍ଗ, ସମ୍ପର୍କୀୟ ଓ ଗ୍ରାମବାସୀ ଦିଲ୍ଲୀପଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଭାରତ ମାତା କି ଜୟ, ଜୟ ଯବାନ ନାରାରେ କମ୍ପି ଉଠିଥିଲା ରେଳ ଷ୍ଟେସନ ପରିସର । ସେଠାରୁ ତାଙ୍କୁ ଡିଜେ ବଜାଇ ନାଚି ନାଚି ଲୋକେ ନିଜ ମାଟିର ଯବାନଙ୍କୁ ସ୍ଵାଗତ କରିଥିଲେ । ଏକ ବାଇକ୍ ରାଲି କରି ଷ୍ଟେସନ ନିକଟରୁ ନିଜ ଗାଁ ଲଇତରା ପର୍ଯ୍ୟନ୍ତ ଗାଁ ଲୋକେ ପାଛୋଟି ନେଇଥିଲେ । ଦୀର୍ଘ ବର୍ଷ ଦେଶ ସେବା କରି ନିଜ ମା’ ମାଟି, ନିଜ ପରିବାର ବର୍ଗଙ୍କ ନିକଟକୁ ଫେରିଆସିଛନ୍ତି ଦିଲ୍ଲୀପ । ଏହାକୁ ନେଇ ପରିବାରବର୍ଗଙ୍କ ଖୁସି କାହିଁରେ କେତେ । ଛୋଟ ପିଲାଠୁ ଆରମ୍ଭ କରି ଗାଁର ଯୁବକ ଯୁବତୀ ସମସ୍ତେ ନାଚି ନାଚି ବୀର ଯବାନଙ୍କୁ ପାଛୋଟି ନେଇଥିଲେ । ଗାଁରେ ପହଞ୍ଚିବା ପରେ ଲଇତରା ଗାଁର ବୀର ସହିଦ ତେମନ୍ତ ମାଝୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେବା ବେଳେ ଯବାନଙ୍କ ଆଖିରେ ଲୁହ ଆସିଯାଇଥିଲା । ପରେ ଯବାନଙ୍କୁ ନିଜ ପରିବାର ବର୍ଗ ଧୂପଦୀପ ଜଳାଇ ବନ୍ଧାପନା କରି ଘରକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା ।
Prev Post