pakka

ଘରକୁ ଫେରୁଥିବା ସମୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ଖଇରାପଡ଼ାର ଦାଦନ ଶ୍ରମିକଙ୍କ ମୃତଦେହ ବୁଧବାର ସକାଳେ ଗ୍ରାମରେ ପହଞ୍ଚି ଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ବାବୁଲାଲ ଭୋଇ(୩୬) । ଶବ ପହଞ୍ଚିବା ପରେ ପଡ଼ାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ ନଭେମ୍ବର ମାସରେ ଖଇରାପଡ଼ାର ସଂପୃକ୍ତ ଶ୍ରମିକ ଘରେ ସ୍ତ୍ରୀ ସୁଲୋଚନା ଏବଂ ତିନି ଝିଅ ଓ ନବଜାତ ପୁଅକୁ ଘରେ ଛାଡ଼ି ଲାଠୋର ଗ୍ରାମର ଜଣେ ସର୍ଦ୍ଦାରଙ୍କ ଜରିଆରେ ତେଲେଙ୍ଗାନା ରାଜ୍ୟର ଛେନାପୁର ଗ୍ରାମର ଗୋପା ରେଡ୍ଡୀଙ୍କ ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ସେଠାରେ ତାଙ୍କର ଦେହ ଖରାପ ହେବାରୁ ବହୁ କୁହାବୁଲା କରିବା ପରେ ମାଲିକ ତାଙ୍କୁ ଛୁଟି ଦେଇଥିଲେ । ଛୁଟି ପାଇ ସେ ଘରକୁ ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ସହ ଆସୁଥିବା ଲୋକ ଟିଟିଲାଗଡ ଷ୍ଟେସନ୍‌ରେ ଜିଆର୍‌ପି ପୋଲିସକୁ ଖବର ଦେବାରୁ ସେମାନେ ବାବୁଲାଲଙ୍କୁ ଟିଟିଲାଗଡ ହସ୍ପିଟାଲ୍‌ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବାରୁ ଜିଆର୍‌ପି ପୋଲିସ ଟିଟିଲାଗଡ ଜିଆର୍‌ପି ଥାନା କେସ୍‌ ନମ୍ବର ୧୯/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ମୃତ୍ୟୁର କାରଣ ଜଣା ପଡ଼ିନଥିଲେ ମଧ୍ୟ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି । ବାବୁଲାଲଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ରୂପେ ବେସାହାରା ହୋଇ ପଡିଛନ୍ତି । ପରିବାର ଏବେ କେମିତି ଚାଲିବ ସେ ଚିନ୍ତାରେ ସ୍ତ୍ରୀ ସୁଲୋଚନା ଘାରି ହେଉଛନ୍ତି । ବର୍ତ୍ତମାନ ପରିବାର ବର୍ଗଙ୍କୁ ରେଡ୍‌କ୍ରସ୍‌ରୁ କିଛି ସାହାଯ୍ୟ ଦେବା ସହ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

jay balangir
Leave A Reply

Your email address will not be published.

twelve − 6 =