jayashree

ଯାତ୍ରା ଦେଖି ଫେରୁଥିବା ବେଳେ ପୋଲ ତଳକୁ ଖସିଲା ବାଇକ୍‌ : ଦାଦା-ପୁତୁରା ମୃତ

କଳାହାଣ୍ଡି : ଯାତ୍ରା ଦେଖିବାକୁ ଯାଇଥିଲେ, ହେଲେ ଫେରିଲେନି ଘରକୁ । ରାସ୍ତାରେ ଛକି ବସିଥିଲା ମୃତ୍ୟୁ । ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା ବାଇକ୍‌ । ଦୁର୍ଘଟଣାରେ ଚାଲିଗଲା ଦାଦା-ପୁତୁରାଙ୍କ ଜୀବନ । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ଛକ ନିକଟରେ ଘଟିଛି । ମୃତକ ଦୁଇଜଣ ହେଲେ ଜୁନାଗଡ଼ ଥାନା ପଲାସ ଗାଁର ନରେଶ ନାଏକ ଓ ପ୍ରଦୀପ ନାଏକ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦାଦା-ପୁତୁରା ହାବସପୁରରୁ ଯାତ୍ରା ଦେଖି ଏକ ପଲସର ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ । ତେବେ ଚକୁଳି ଛକ ନିକଟରେ ବାଇକ୍‌ଟି ହଠାତ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଛି । ଏପଟେ ଦାଦା-ପୁତୁରାଙ୍କ ଅକାଳ ମୃତ୍ୟୁରେ ପଲାସ ଗାଁରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ଦୁର୍ଘଟଣା ଛଡ଼ାଇ ନେଇଛି ଦୁଇଟି ଜୀବନ, ଅସହାୟ କରିଦେଇଛି ଦୁଇ ପରିବାରକୁ ।

Leave A Reply

Your email address will not be published.