
କେନ୍ଦ୍ରାପଡ଼ା : ଲୁଣା ନଦୀରେ ଗାଧୋଇବାକୁ ଯାଇ ଅଘଟଣ । ଚୋରାବାଲିରେ ପାଦ ଫସିଯିବାରୁ ପାଣିରେ ବୁଡ଼ି ୩ ଯୁବକଙ୍କ ମୃତ୍ୟୁ । ଅଗ୍ନିଶମ ବାହିନୀ ନଦୀରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଏହି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗହଗା ଗାଁ ନିକଟ ଦାନପୁର ବାଲିଘାଟରେ ଘଟିଛି । ସୂଚନା ଅନୁସାରେ, ମଙ୍ଗଳବାର ପୂର୍ବାହ୍ନରେ ଗହଗା ଗାଁର ୫ ଜଣ ଯୁବକ ସାଙ୍ଗ ହୋଇ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ପାଣି କମ୍ ଥିବା ସତ୍ତ୍ୱେ ଚୋରାବାଲିରେ ପାଦ ଫସିଯିବାରୁ ୩ ଜଣ ଯୁବକ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ସାଙ୍ଗରେ ଥିବା ଅନ୍ୟ ଦୁଇ ଯୁବକ ଗାଁ ଲୋକଙ୍କୁ ଡାକି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ହେଲେ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା । ଦୀର୍ଘ ଖୋଜାଖୋଜି ପରେ ତିନି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ମଧ୍ୟରେ ହିମାଂଶୁ ପରିଡ଼ା, ଆଶିଷ ଶତପଥୀ ଓ ସବ୍ୟସାଚୀ ସ୍ୱାଇଁ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବାଇକ୍ ମେକାନିକ୍ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କଲେଜରେ ପାଠ ପଢ଼ୁଥିଲେ । ତିନି ଯୁବକଙ୍କ ଅକାଳ ମୃତ୍ୟୁରେ ଗହଗା ଗାଁ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।