
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ଼ରେ ଆଉ ନାହିଁ ରାଜତନ୍ତ୍ରର ଶାସନ । ହେଲେ ଆଜି ବି ଜୀବନ୍ତ ରହିଛି ରାଜ ପରିବାରର ପୁରାତନ ପରମ୍ପରା । ପରମ୍ପରା ଓ ଐତିହ୍ୟକୁ ବଜାୟ ରଖି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଜୟା ଦଶମୀ ଅବସରରେ ପାଟଣାଗଡ଼ ରାଜଖମାରରେ ଆୟୋଜିତ ହୋଇଛି ପାରମ୍ପରିକ ଲାଖବିନ୍ଧା ଉତ୍ସବ । ପାଟଣାଗଡ଼ର ମହାରାଜା କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ରାଜ ପରିବାର ପକ୍ଷରୁ ଏହି ପାରମ୍ପରିକ ଉତ୍ସବ ପାଳନ କରାଯାଇଥିଲା । ପ୍ରଥମେ ରାଜ ପରିବାରର ସଦସ୍ୟମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜଖମାର ପରିସରରେ ଅବସ୍ଥିତ ଇଷ୍ଟଦେବୀ ମା’ ଦଶମତୀଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମା’ଙ୍କ ଆଶୀର୍ବାଦ ନେବା ପରେ ରାଜ ପରିବାର ଲାଖବିନ୍ଧା ସ୍ଥଳକୁ ଯାଇ ଉତ୍ସବର ଶୁଭାରମ୍ଭ କରିଥିଲେ । ପାଟଣାଗଡ଼ର ଏହି ଲାଖବିନ୍ଧା ପରମ୍ପରା କେବଳ ଏକ ଉତ୍ସବ ନୁହେଁ, ବରଂ ଅଞ୍ଚଳର ଐତିହ୍ୟ, ସଂସ୍କୃତି ଓ ରାଜ ପରିବାରର ପରମ୍ପରାର ପ୍ରତୀକ । ସମୟ ବଦଳିଛି, ରାଜତନ୍ତ୍ରର ଅବସାନ ଘଟିଛି, ହେଲେ ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା ଏହି ପରମ୍ପରା ଆଜି ବି ପାଟଣାଗଡ଼ର ଗୌରବକୁ ଅକ୍ଷୁଣ୍ଣ ରଖିଛି ।