ସିନାପାଲି ହାଇସ୍କୁଲପଡାଠାରେ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସ୍ଥିତ ହାଇସ୍କୁଲପଡା (ପଲ୍ଲୀଜାଗରଣପଡା, ୱାର୍ଡ ନଂ.୩)ଠାରେ ଏକ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ସିନାପାଲିଠାରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଯୁବକମାନେ ଏକତ୍ରିତ ହୋଇ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ, ଏହିଠାରେ ୨୫୦ଟି ପରିବାରର ବିଭିନ୍ନ ସଂପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ସମୁଦାୟ ଜନସଂଖ୍ୟା ଉଭୟ ପୁରୁଷ ଓ ମହିଳା ମିଶି ୯୬୦ ଜଣ । ଏଠାରେ ପ୍ରତିବର୍ଷ ସିନାପାଲି ସହରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଉଦନ୍ତୀ ମହୋତ୍ସବ, ମହାଲକ୍ଷ୍ମୀ ପୂଜା, ରଜପର୍ବ, ଗଣେଶ ପୂଜା ଆଦି ଆୟୋଜିତ ହୋଇଥାଏ । ଏହି ପଡାରେ ବିଭିନ୍ନ ସ୍ୱୟଂ ସହାୟକ ଦଳର କାର୍ଯ୍ୟକ୍ରମ ଏବଂ ପଡାବାସୀଙ୍କ ବିବାହୋତ୍ସବ, ପର୍ବପର୍ବାଣୀ ନିମନ୍ତେ ଗୋଷ୍ଠୀ ଗୃହ ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଭୂ-ଲେଖ ଜମି ବିବରଣୀର ମୌଜା- ସିନାପାଲି, ଖାତା ନଂ.୫, ପ୍ଲଟ ନଂ.୧୫୩, ରକବା – ଏ.୦.୧୧ ଡି. ଜମି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିନାପାଲିଙ୍କ ନାମରେ ଅଧଗ୍ରହଣ ହୋଇଅଛି । ଏହି ଜମି ଉପରେ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ କରାଗଲେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ସିନାପାଲି ବିଡିଓଙ୍କୁ ଲିଖିତ ଭାବରେ ଜଣାଇଥିବା ଅଭିଯୋଗ କରିଛନ୍ତି । ହେଲେ ବିଡିଓ ମହାଶୟ ଏହି ଜମି ଉପରେ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ କଥା ଦେବା ସହ ଜମିର ସୀମା ନିର୍ଦ୍ଧାରଣ ପାଇଁ ସିନାପାଲି ତହସିଲଦାରଙ୍କୁ ଜଣାଇ ଥିଲେ । ଏହାପରେ ଏହି ଜମି ଉପରେ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ଖଡିଆଳ ବିଧାୟକଙ୍କୁ ଭେଟି ଆର୍ଥିକ ସହାୟତା ପାଇଁ ନିବେଦନ ମଧ୍ୟ କରାଯାଇଥିଲା । ବିଧାୟକ ମହାଶୟ ମଧ୍ୟ ନିବେଦନକୁ ରକ୍ଷାକରି ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ଟ. ୨୫୦୦୦୦/– (ଦୁଇଲକ୍ଷ ପଚାଶ ହଜାର ଟଙ୍କା) ତାଙ୍କ ବିଧାୟକ ପାଣ୍ଠିରୁ ଅର୍ଥ ମଂଜୁର କରିଥିଲେ । ସିନାପାଲିର କନିଷ୍ଠ ଯନ୍ତ୍ରୀ ମଧ୍ୟ ଫିଜିବିଲିଟି ରିପୋର୍ଟ ପାଇଁ ଏହି ଜମି ପରିଦର୍ଶନ କରି ସାରିଛନ୍ତି । ଫିଜିବିଲିଟି ରିପୋର୍ଟ ପ୍ରଦାନ ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ଫୋନ୍ ରିସିଭ୍ କରୁ ନାହାନ୍ତି କିମ୍ବା ସାକ୍ଷାତ କଲେ ସେ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ବିଡିଓ ମହାଶୟଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ପ୍ରସ୍ତାବିତ ଜମି ଉପରେ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ହୋଇପାରିବ ନାହିଁ ବୋଲି ମନା କରିଦେଇଥିବା ସେମାନେ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ଗୃହ ନିର୍ମାଣ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବିଡିଓ ମହାଶୟଙ୍କ ଏଭଳି ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରସ୍ତାବିତ ଜମି ଉପରେ ଗୃହ ନିର୍ମାଣ ପାଇଁ ବିଡିଓ ମହାଶୟ ପ୍ରଥମେ ରାଜି ହେବା ଓ ପରେ ମନା କରିବା ଭଳି ଦୋମୁହାଁ ନୀତି ଅବଲମ୍ବନ କରିବା ପଛରେ କୌଣସି ଅସାଧୁ ବ୍ୟକ୍ତିଙ୍କ ହାତ ଥିବା ସେମାନେ ଅଭିଯୋଗ କରୁଛନ୍ତି । ଏହା ଉପରେ ଉଚିତ୍‌ ତଦନ୍ତ କରି ଗୋଷ୍ଠୀ ଗୃହ ନିର୍ମାଣରେ ସହାୟକ ହେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ହାଇସ୍କୁଲପଡାର ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.

four × 4 =

error: Content is protected !!