pakka

ପାରିଶ୍ରମିକ ମିଳିବା ଦାବୀରେ ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ପଶ୍ଚିମ ଓଡ଼ିଶାର ପ୍ରମୁଖ ତିର୍ଥ ସ୍ଥଳୀ ହରିଶଙ୍କର ପୀଠରେ ହରିଣ ପାର୍କରେ ନିଯୁକ୍ତ ଥିବା ଶ୍ରମିକମାନଙ୍କ ୫ ମାସର ପାରିଶ୍ରମିକ ମିଳିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ହରିଶଙ୍କର ପୀଠ ସ୍ଥିତ ହରିଣ ପାର୍କରେ ହରିଣମାନଙ୍କ ଖାଦ୍ୟ ଗଛର ଡାଳ ଯୋଗାଇବା ପାଇଁ ହରିଣ ପାର୍କ ଦାୟିତ୍ଵରେ ଥିବା ବନବିଭାଗ ପକ୍ଷରୁ ଉକ୍ତ କାମ ଶ୍ରମିକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ହେଲେ ଦୀର୍ଘ ୫ ମାସ ବିତିଯାଇଥିଲେ ମଧ୍ୟ ତାଙ୍କର ପାରିଶ୍ରମିକ ଟଙ୍କା ମିଳିନଥିବା ଯୋଗୁଁ ଆଜି ପାଟଣାଗଡ଼ ଉପଖଣ୍ଡ ଶ୍ରମ ଅଧିକାରୀ ନିରଞ୍ଜନ ଭୁଞ୍ଜିୟାଁ ଭେଟି ପାରିଶ୍ରମିକ ମିଳିବା ନେଇ ଦାବୀପତ୍ର ପ୍ରଦାନ କରିଛନ୍ତି । ହରିଣ ପାର୍କରେ ନିଯୁକ୍ତ ଥିବା ଶ୍ରମିକମାନେ ହରିଣମାନଙ୍କ ଖାଦ୍ୟ ଯୋଗାଇ କାମ ଦୀର୍ଘ ବର୍ଷ ଧରି କରିଆସୁଥିବା ବେଳେ ବିନା କାରଣରେ ଶ୍ରମିକମାନଙ୍କୁ କାମ ବାହାର କରି ଦେଇ ଥିବା ଶ୍ରମିକମାନେ ଲିଖିତ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରମିକମାନଙ୍କୁ ରାତ୍ରିରେ ମଧ୍ୟ କାମରେ ଲଗାଯାଇଥାଏ ଏବଂ ଦିନକୁ ୧୬ ଘଣ୍ଟା କାମ କରି ମାସକୁ ୯୦୩୦ ଟଙ୍କା ମଞ୍ଜୁରୀ ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି । ଗତ ଜୁଲାଇ ମାସରୁ ନଭେମ୍ବର ମାସ ପର୍ୟ୍ୟନ୍ତ ୫ ମାସର ପାରିଶ୍ରମିକ ଆଜି ପର୍ୟ୍ୟନ୍ତ ମିଳିନାହିଁ । ଦାୟିତ୍ଵରେ ଥିବା ରେଞ୍ଜର ଶ୍ରୀବତ୍ସ କୁମୁରାଙ୍କୁ ଶ୍ରମିକମାନେ ପାରିଶ୍ରମିକ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦର୍ଶାଇଛନ୍ତି । ରେଞ୍ଜର କୁମୁରା ଶ୍ରମିକମାନଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ ମାନେ । ଶ୍ରମିକମାନଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନେଇ ଗତ ୩୦ ନଭେମ୍ବର ୨୦୨୧ରୁ କାମ ବାହାର କରିଦିଆଯାଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି । ଗରିବ ଶ୍ରମିକମାନେ ୫ ମାସର ପାରିଶ୍ରମିକ ପାଇନଥିବା ଯୋଗୁଁ ପରିବାର ପ୍ରତିପୋଷଣରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କହିଥିବା ବେଳେ କାମରୁ ବାହାର କରି ଦିଆଯାଇଥିବା ଯୋଗୁଁ ଆହୁରି ଦୁଃଖ ବଢିଯାଇଛି ବୋଲି କହିଛନ୍ତି ।ନାନ୍ଦୁପଲା ଗ୍ରାମର ଶ୍ରମିକ ନିଲାମ୍ବର ବରିହା, ଚତୁର୍ଭୁଜ ବାଗ, ମହରାପଦର ତ୍ରିଲୋଚନ ପାଣ୍ଡେ, ଟିକେଶ୍ଵର ଭୂଏ, ଛଞ୍ଚାଣବାହାଲି ବେଲାର ବରିହା, ଧନେଶ୍ଵର ମାଝୀ, ତୁର୍ଲା ମଦନ ଭୂଏ, ନୂଆପାଲି ସୁରେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 + 5 =