pakka

ବିଚାରାଧୀନ କଏଦୀଙ୍କ କୋଭିଡ୍‌ରେ ମୃତ୍ୟୁ ପରେ ପାଟଣାଗଡ଼ ଉପକାରାଗାରରେ କରୋନା ଆତଙ୍କ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଜଣେ ବିଚାରାଧୀନ କଏଦୀଙ୍କ କୋଭିଡ୍‌ ସଂକ୍ରମଣ ଯୋଗୁଁ ମୃତ୍ୟୁ ପରେ ପାଟଣାଗଡ଼ ଉପକାରାଗାରରେ କରୋନା ଆତଙ୍କ ଦେଖାଦେଇଛି । ସୂଚନା ଅନୁସାରେ ଏହି ଉପକାରାଗାରରେ ୧୧୭ ଜଣ କଏଦୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିବା କୁହାଯାଇଛି । ତେବେ ଗତକାଲି ବଲ୍ଲଭ ପଧାନ ନାମକ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିବା ପରେ କଏଦୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରାପ୍ତ ସୂଚନା ମୁତାବକ ଗତ ୧୫ ଦିନ ତଳେ ଧଣ୍ଡାମୁଣ୍ଡା ଗାଁରୁ ବଲ୍ଲଭ ପଧାନଙ୍କୁ ନିଶା କାରବାର ଅଭିଯୋଗରେ ଖପ୍ରାଖୋଲ ପୋଲିସ ଗିରଫ୍‌ କରିଥିଲା । ଗିରଫ୍‌ ବଲ୍ଲଭଙ୍କଠାରୁ କିଛି କଫ୍‌ ସିରଫ୍‌ ବୋତଲ ଜବତ ହୋଇଥିଲା । ଗିରଫ୍‌ ପରେ ବଲ୍ଲଭଙ୍କ କୋଭିଡ ଟେଷ୍ଟ ହୋଇଥିବା ବେଳେ ତାହା ନେଗେଟିଭ୍‌ ଆସିଥିଲା ଓ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ପରେ ବଲ୍ଲଭ ପାଟଣାଗଡ଼ ଉପକାରାଗାରରେ କରୋନା ସଂକ୍ରମିତ ହୋଇଥିବା ବେଳେ ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଗୁରୁବାର ଦିନ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବଲ୍ଲଭଙ୍କ ଗତକାଲି ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ବଲ୍ଲଭଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ କୌଣସି ସୂଚନା ଦିଆ ଯାଇ ନଥିବା ଯୋଗୁଁ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.

18 − 2 =