pakka

ବାଲି ଚୋରା ଚାଲାଣ ରୋକିବାକୁ ଯାଇ ଲହୁ ଲୁହାଣ ହେଲେ ଅତିରିକ୍ତ ତହସିଲଦାର ଓ ୩ ରାଜସ୍ୱ ନିରୀକ୍ଷକ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବାଲି ଚୋରା ଚାଲାଣକୁ ରୋକିବାକୁ ଯାଇ ଲହୁ ଲୁହାଣ ହୋଇଛନ୍ତି ଅତିରିକ୍ତ ତହସିଲଦାରଙ୍କ ସମେତ ତିନି ଆର୍‌ଆଇ । ଆକ୍ରମଣକାରୀ ମାନେ ଗଛ ଡାଳ ଭାଙ୍ଗି ଉପରିସ୍ଥ ଅଫିସର ଓ ଆରଆଇ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ତହସିଲ ଅଧିନସ୍ତ କାଇଁଚପୁର ପଂଚାୟତ ମାଳି ଜଗନ୍ନାଥ ପୁରରେ । ସୂଚନା ଅନୁସାରେ ଗଞ୍ଜାମ ତହସିଲ ଅଧିନ ମାଳିଜଗନ୍ନାଥପୁର ଗ୍ରାମ ନିକଟରେ ବାଲି ଚୋରା ଚାଲାଣ ଚଢାଉ ବେଳେ ଗଞ୍ଜାମର ଅତିରିକ୍ତ ତହସିଲଦାର ଓ ତିନି ଆର୍‌ଆଇଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇଛନ୍ତି ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆର୍‌ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା । ଦୈନନ୍ଦିନ ସେଠାରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ରବିବାର ପାହାନ୍ତିଆ ରାତି ପ୍ରାୟ ତିନିଟା ସମୟରେ ଅତିରିକ୍ତ ତହସିଲଦାର ଓ ହୁମା, ବଡ ରାମଚନ୍ଦ୍ରପୁର ଓ ବୁରୁଡ଼ି ଆର୍‌ଆଇ ସେଠାରେ ପହଂଚିବା ପରେ ହଟାତ ଚାରିଜଣ ବ୍ୟକ୍ତି ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ମାଡରେ ଅଫିସର ମାନଙ୍କ ପିଠି ଫାଟି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଥାନା ଆଇଆଇସି ସରୂପ କିସାନ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତି କରିଥିଲେ । ପରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଥାଉକି ମାଳିଜଗନ୍ନାଥପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀ ନିକଟରେ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାର ତହସିଲ ପକ୍ଷରୁ ଖବର ପାଇ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଓ ତିନି ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଉକ୍ତ ସ୍ଥାନରେ ଚଢ଼ାଉ କରୁଥିବା ବେଳେ ଚାରି ଜଣ ବାଲି ମାଫିଆ ହଟାତ ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ପିସ୍ତଲ ଦେଖାଇ ଭୟଭିତ କରିବା ସହ ମୁଦି, ସୁନା ଚେନ, ମୋବାଇଲ ଫୋନ, ପର୍ସ ଛଡାଇ ନେଇଯାଇଥିଲେ । ଜୀବନ ବଂଚେଇବାକୁ ଯାଇ ଭୟରେ ସେଠାରୁ ପଳାଇ ଆସି ଘଟଣା ସମ୍ପର୍କରେ ତୁରନ୍ତ ତହସିଲଦାର ଓ ପୋଲିସକୁ ଅବଗତ କରାଇଥିଲେ । ଏନେଇ ତହସିଲ ଅଫିସ ପକ୍ଷରୁ ଗଞ୍ଜାମ ଥାନାରେ ଏତଲା ଦିଆଯାଇଛି । କିଛି ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି ଖୁବ ଶୀଘ୍ର ସେମାନଙ୍କୁ ଧରା ଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଥାନା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

sixteen + 17 =