
- ଅନବରତ ବହିଲା ପବନ
ଦେଓଗାଁ, (ମନୀଷ କୁମାର ସାହୁ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ୍’ ପ୍ରଭାବ ଏବେ ଦେଓଗାଁ ବ୍ଲକ ଅଞ୍ଚଳରେ ମଧ୍ୟ ଅନୁଭୂତ ହେବାରେ ଲାଗିଛି । ଗତକାଲି ମଙ୍ଗଳବାର ରାତିରୁ ଅଞ୍ଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ବୁଧବାର ସକାଳୁ ଦିନସାରା ଚାରିଆଡ଼େ ଆକାଶ ମେଘୁଆ ରହିବା ସହ ବର୍ଷା ଜାରି ରହିଥିଲା । ବାତ୍ୟା ପ୍ରଭାବରେ ଦିନସାରା ଅନବରତ ଥଣ୍ଡା ପବନ ବହୁଥିବା ବେଳେ ବିଭିନ୍ନ ସମୟରେ ବିଦ୍ୟୁତ୍ ପ୍ରଭାବିତ ହୋଇଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । କ୍ରମାଗତ ବର୍ଷା ଏବଂ ପବନ ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଥିଲ । ଅଞ୍ଚଳର ରାସ୍ତା ଘାଟ, ଦୋକାନ ବଜାର, ଛକ ଗୁଡିକରେ ଆଜି ଜନଗହଳି କମିଯାଇଥିଲା । ଅନ୍ୟପକ୍ଷରେ ଦୀର୍ଘ ଗୋଟିଏ ମାସ ହେଲା ବର୍ଷା ହୋଇ ନ ଥିବାରୁ ଚାରିଆଡ଼େ ଚାଷ ଜମିଗୁଡିକ ଫାଟି ଯାଇଥିବାରୁ ଏବେ ବର୍ଷା ଯୋଗୁଁ ଚାଷୀ ମହଲରେ ଖୁସିର ଲହରୀ ଖେଳି ଉଠିଛି । ପ୍ରାୟତଃ ସମସ୍ତ ଗାଁରେ ଚଳିତ ବର୍ଷ ଜଳାଭାବ ଯୋଗୁଁ ଚାଷୀକୂଳ ଚିନ୍ତାରେ ରହିଥିଲେ । ଏହି ବର୍ଷା ଫଳରେ ଚାଷ ଜମିରେ ପାଣି ମଡ଼ାଇବା ପରେ ଚାଷ କାର୍ଯ୍ୟରେ ସୁଫଳ ମିଳିବ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି ।