
- ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ଠପ୍; ବିକଳ୍ପ ରାସ୍ତା ଉପରେ ନିର୍ଭର ଯାତ୍ରୀ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଡାଳ ଓ ପତ୍ର ରାସ୍ତା ଉପରେ ପଡ଼ି ଯାତାୟାତରେ ବାଧା ସୃଷ୍ଟି କରିଥିବା ବେଳେ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ-ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିକୁ ଉଭୟ ପଟରୁ ବନ୍ଦ କରିଦିଆଯାଇଛି । ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ଗାଡ଼ି ଚାଳକମାନେ ଅସୁବିଧାରେ ପଡ଼ିଛନ୍ତି । ବାତ୍ୟାର ସମ୍ଭାବ୍ୟ ବିପଦକୁ ଆଖିଆଗରେ ରଖି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଥାନାଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ବାଇମାଳା ଚେକ୍ଗେଟ୍ଠାରେ ରାସ୍ତାକୁ ବନ୍ଦ କରାଯାଇଛି । ସେଠାରେ ପୁଲିସ ମୁତୟନ ରହି ଯାନବାହନ ଚଳାଚଳ ଉପରେ ନଜର ରଖିଛି । ଦାରିଙ୍ଗବାଡ଼ି ପଟରୁ ଭଞ୍ଜନଗର, ସୋରଡ଼ା ଓ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକୁ ଗଞ୍ଜାମ ଜିଲ୍ଲା ଆଡ଼କୁ ଯିବାକୁ ଅନୁମତି ଦିଆଯାଉନାହିଁ । ସେହିପରି ଗଞ୍ଜାମ ପଟରୁ କନ୍ଧମାଳ ଆସୁଥିବା ଯାନବାହନକୁ ମଧ୍ୟ ଗାଜଲବାଡ଼ି ଘାଟି ଦେଇ ଯିବାକୁ ବାରଣ କରାଯାଇଛି । ସୋରଡ଼ା ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ପଟରେ ମଧ୍ୟ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଉଲ୍ଲେଖଯୋଗ୍ୟ, ଗାଜଲବାଡ଼ି ଘାଟି ଅଣଓସାରିଆ ଓ ବିପଦପୂର୍ଣ୍ଣ ହୋଇଥିବାରୁ ବର୍ଷା ଋତୁରେ ଏଠାରେ ଭୂସ୍ଖଳନର ଆଶଙ୍କା ରହିଥାଏ । ପୂର୍ବରୁ ମଧ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ସମୟରେ ଏହି ଘାଟିରେ ଏକାଧିକ ଥର ଭୂସ୍ଖଳନ ଘଟିଥିବା ନଜିର ରହିଛି । ତେଣୁ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ଘାଟିକୁ ବନ୍ଦ କରିଛି । ଅନ୍ୟପକ୍ଷରେ, ରାସ୍ତା ଉପରେ ଗଛ ଭାଙ୍ଗି ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚଳାଚଳ କରୁଥିବା ମୋ ବସ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ବ୍ରାହ୍ମଣୀଗାଁ, ଗଦାପୁର, ସରାମୁଳୀ, ହାତୀମୁଣ୍ଡା, ତାମାଙ୍ଗି ଓ କାଟିଙ୍ଗିଆ ଅଞ୍ଚଳକୁ ଯାଇଥିବା ବସ୍ଗୁଡ଼ିକ ରାସ୍ତାରେ ଅଟକି ରହିଥିବା ସୂଚନା ମିଳିଛି । ଫଳରେ ଯାତ୍ରୀଙ୍କ ଯାତାୟାତ ସହ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଗାଜଲବାଡ଼ି ଘାଟି ବନ୍ଦ ରହିଥିବାରୁ ଦାରିଙ୍ଗବାଡ଼ିରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲ୍ଲାର ଅଡ଼ବା ଓ ମୋହନା ହୋଇ ବ୍ରହ୍ମପୁର ଯିବା ରାସ୍ତା ଏବେ ବିକଳ୍ପ ମାର୍ଗ ଭାବେ ରହିଛି । ବାତ୍ୟାଜନିତ ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଘାଟି ଅଞ୍ଚଳରେ ନଜର ରଖାଯାଇଥିବା ବେଳେ ଯାତ୍ରୀମାନଙ୍କୁ ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି ।