jayashree

ବାଲିଗୁଡ଼ାରେ ବିଜେଡିର ରଣହୁଙ୍କାର : ବାଲି ଚୋରାଚାଲାଣ ଠାରୁ ଟେଣ୍ଡର ଅନିୟମିତତା ଯାଏଁ ଉଠାଇବ ଦଳ : ଜନ ସମସ୍ୟାକୁ ନେଇ ଆନ୍ଦୋଳନର ଚେତାବନୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଜନସମସ୍ୟା, ବେଆଇନ ବାଲି କାରବାର ଓ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତାକୁ ନେଇ ରାଜନୈତିକ ତତ୍ପରତା ବଢ଼ିଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ସ୍ଥିତ ପିଡବ୍ଲ୍ୟୁଡି ବଙ୍ଗଳା ଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଗଠନ ପରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିବା ସହ ଆଗାମୀ ଦିନରେ ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରଥମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ କନ୍ଧମାଳ ଜିଲ୍ଲା ସଭାପତି ପଦ୍ମନାଭ ବେହେରା ବାଲିଗୁଡ଼ା ଅଞ୍ଚଳରେ ସାଂଗଠନିକ ଦାୟିତ୍ୱ ଦେଇଥିବାରୁ ଦଳୀୟ ନେତୃତ୍ୱଙ୍କ ପ୍ରତି କୃତଜ୍ଞତା ଜଣାଯାଇଥିଲା । ଜନସାଧାରଣଙ୍କ ସମସ୍ୟାକୁ ନେଇ ବିଜେଡି ସବୁବେଳେ ସ୍ୱର ଉଠାଇ ଆସିଛି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଦଳୀୟ ନେତାମାନେ କହିଥିଲେ ବାଲିଗୁଡ଼ା ଅଞ୍ଚଳରେ ବାଲିଘାଟ ବନ୍ଦ ରହିଥିବା ସତ୍ତ୍ୱେ ବାଲି ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ଉଠିଛି । ଏହାକୁ ନେଇ ଟ୍ରାକ୍ଟର ସଂଘ ପକ୍ଷରୁ ଦୁଇ ଦିନ ଧରି ବନ୍ଦ ଡାକରା ଦିଆଯାଇଥିବା କଥା ଉଲ୍ଲେଖ କରି ବାଲି କାରବାରରେ ଅନିୟମିତତା ହେଉଛି କି ନାହିଁ, ତାହାର ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା । ବେଆଇନ କାରବାରରେ କାହାରି ସମ୍ପୃକ୍ତି ଥିଲେ ତାଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦଳ ଦାବି ଉଠାଇବ ବୋଲି କହିଥିଲା । ବାଲିଗୁଡାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିନା ଟେଣ୍ଡରରେ କାର୍ଯ୍ୟ ବଣ୍ଟନ ଓ କାମରେ ଅନିୟମିତତା ହେଉଥିବା ଅଭିଯୋଗର ତଦନ୍ତ ଦାବି କରାଯାଇଥିଲା । ସରକାରୀ ଅର୍ଥର ସଠିକ୍ ବିନିଯୋଗ, କାର୍ଯ୍ୟର ଗୁଣବତ୍ତା ଏବଂ ନିୟମ ଅନୁଯାୟୀ ଟେଣ୍ଡର ପ୍ରକ୍ରିୟା ପାଳନ ଉପରେ ଦଳ ଗୁରୁତ୍ୱ ଦେଇଥିଲା । ସେହିପରି ବାଲିଗୁଡ଼ା ସହର ଓ ବିଧାନସଭା କ୍ଷେତ୍ରରେ ରାସ୍ତାଘାଟ, ପାନୀୟ ଜଳ, ଡ୍ରେନେଜ୍, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସମେତ ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟର ଅଗ୍ରଗତିକୁ ନେଇ ପ୍ରଶ୍ନ ଉଠାଯାଇଥିଲା । ଅଧାପନ୍ତରିଆ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ନୂତନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହୋଇଥିଲା । ଆଗାମୀ ଦିନରେ ବାଲିଗୁଡ଼ା ବ୍ଲକ, ଏନ୍‌ଏସି ଓ ବିଧାନସଭା କ୍ଷେତ୍ରରେ ବିଜେଡି ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉପରେ ଦଳ ଗୁରୁତ୍ୱ ଦେବ । ଯୁବକ ଓ ମହିଳାଙ୍କୁ ସଂଗଠନ ସହ ଯୋଡ଼ିବା, ଦଳୀୟ କର୍ମୀଙ୍କୁ ଏକଜୁଟ କରିବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ନେଇ ଆବଶ୍ୟକ ସ୍ଥଳେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ଓ ପ୍ରଶାସନର ଉତ୍ତର ଦାୟିତ୍ୱ ସୁନିଶ୍ଚିତ କରିବାକୁ ଦଳ ଆଗାମୀ ଦିନରେ ନିଜର ଦାବି ଉପସ୍ଥାପନ କରିବ ବୋଲି କୁହାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ କୋଟଗଡ଼ ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି ସରୋଜ ବଳିଆରସିଂହ, ତୁମୁଡ଼ିବନ୍ଧ ବ୍ଲକ ସଭାପତି କୁନା ଦଣ୍ଡସେନା ଓ କାର୍ଯ୍ୟକାରୀ ସଭାପତି ଜହନ ବାରିକ, ବାଲିଗୁଡ଼ା ବ୍ଲକ ସଭାପତି କ୍ଲେଶ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି କବିରାଜ ରଣା, କ. ନୂଆଗାଁ ବ୍ଲକ ସଭାପତି ମଦନ ମୋହନ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି ମହାଦେବ ପ୍ରଧାନ ଏବଂ ବାଲିଗୁଡ଼ା ଏନ୍‌ଏସି ସଭାପତି ଅମିତ କୁମାର ନାୟକ ଓ କାର୍ଯ୍ୟକାରୀ ସଭାପତି ମାନସ କୁମାର ଅମାତଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.