om academy

ଇନ୍ଦ୍ରପସ୍ଥ ହୋଟେଲ ହତ୍ୟା ଘଟଣାରେ ମୃତ୍ୟୁ ବରଣ କରିଛନ୍ତି କନେଷ୍ଟବଳ ସିଆଲବାହାଲି ଗାଁର ଶଙ୍କରଭାନୁ ବେହେରା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇନ୍ଦ୍ରପସ୍ଥ ହୋଟେଲ ହତ୍ୟା ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଜଣେ କନେଷ୍ଟବଳ । ମୃତକ ଜଣକ ସୋନପୁର ରିଜର୍ଭ ପୋଲିସରେ ସାମିଲ୍‌ ଥିବା ସିଆଲବାହାଲି ଗାଁର ଶଙ୍କରଭାନୁ ବେହେରା(୪୦) । ହୋଟେଲ ବାଥ୍‌ରୁମ୍‌ରୁ ଶଙ୍କରଭାନୁଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ ଗତକାଲି ଉଦ୍ଧାର କରିଛି ବଲାଙ୍ଗିର ପୋଲିସ । ଆଲୋଚନା ହେଉଛି ଗଂଜେଇ ବେପାରକୁ ନେଇ ଘଟିଛି ଏହି ବର୍ବର ହତ୍ୟାକାଣ୍ଡ । ସୂଚନା ଅନୁସାରେ ହୋଟେଲର ୨୧୨ ନଂ. ରୁମ୍‌ରେ ରହୁଥିଲେ ଧନବାଦ ବାସେପୁରର ବୀରେନ୍‌ ସିଂ ଓ ଅନ୍ୟ ଜଣେ ବ୍ୟକ୍ତି । ଶଙ୍କରଭାନୁଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି ହୋଟେଲ୍‌ର ବାଥ୍‌ରୁମ୍‌ ଭିତରେ ଫୋପାଡ଼ି ଫେରାର୍‌ ହୋଇଯାଇଥିଲେ ଦୁଇ ଅଭିଯୁକ୍ତ । ତନାଘନା ତଦନ୍ତରେ ଲାଗିପଡ଼ିଛି ବଲାଙ୍ଗିର ପୋଲିସ । ହୋଟେଲ ରେକର୍ଡ ଅନୁସାରେ ୧୬ ତାରିଖ ପୂର୍ବାହ୍ନ ୧୧ଟା ୨୦ରେ ଇନ୍ଦ୍ରପ୍ରସ୍ଥ ହୋଟେଲ୍‌କୁ ଆସି ବୀରେନ୍‌ ସିଂଙ୍କ ଆଧାର କାର୍ଡ ଦେଇ ହୋଟେଲ୍‌ର ୨୧୨ ନଂ. ରୁମ୍‌ରେ ରହିଥିଲେ ୨ଜଣ । ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ହୋଟେଲର ଝାଡ଼ୁଦାର ସଫେଇ ପାଇଁ ରୁମ୍‌ ନଂ.୨୧୨କୁ ଯାଇଥିବା ବେଳେ ରୁମ୍‌ ଖୋଲାଥିବା ଦେଖିବାକୁ ପାଇଥିଲେ । ପୁଣି ବାଥ୍‌ରୁମ୍‌ ଭିତରେ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ହୋଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ହୋଟେଲ ପକ୍ଷରୁ ସୂଚନା ପାଇ ତୁରନ୍ତ ବଲାଙ୍ଗିର ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ୍‌ କରିବା ସହ ଖୋଳତାଡ଼ ଆରମ୍ଭ କରିଦେଇଥିଲା । ମିଳିଥିବା ସୂଚନା ଅନୁସାରେ ହୋଟେଲରେ ରହୁଥିବା ଧନବାଦର ସଂପୃକ୍ତ ଦୁଇଜଣଙ୍କୁ ଭେଟିବା ପାଇଁ କାର୍‌ ନେଇ ହୋଟେଲ୍‌ରେ ପହଂଚିଥିଲେ ଶଙ୍କରଭାନୁ । କୌଣସି କାରଣରୁ ହୋଟେଲ୍‌ର ରୁମ୍‌ ଭିତରେ ଶଙ୍କରଭାନୁଙ୍କୁ ହତ୍ୟା କରି କନେଷ୍ଟବଳଙ୍କ କାର୍‌ ନେଇ ଫେରାର୍‌ ହୋଇଯାଇ ଥିଲେ ୨ ଅଭିଯୁକ୍ତ । ଗତକାଲି ଭୋର୍‌ ବେଳକୁ ସେହି କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବି ଲୋକେ ଦେଖିଥିଲେ । ଏଣୁ ସଂପୃକ୍ତ ଧନ୍‌ବାଦର ଦୁଇ ଜଣ ହିଁ ହତ୍ୟାକାରୀ ବୋଲି ସଂଦେହ ସୃଷ୍ଟି ହୋଇଛି । ତଦନ୍ତ ପରେ ଘଟଣାର କାରଣ ସ୍ପଷ୍ଟ ହେବ ବୋଲି ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି । ତେବେ କେଉଁ ଉଦ୍ଦେଶ୍ୟରେ ମୃତ କନେଷ୍ଟବଳ ଶଙ୍କରଭାନୁ ଧନବାଦର ବୀରେନ୍‌ ସିଂ ଏବଂ ଅନ୍ୟ ଜଣଙ୍କୁ ହୋଟେଲକୁ ଭେଟିବାକୁ ଆସିଥିଲେ, ତାହାର ଚେର ଖୋଜୁଛି ବଲାଙ୍ଗିର ପୋଲିସ ।

Leave A Reply

Your email address will not be published.