pakka

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

kalikesh
  • ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସଂରକ୍ଷଣ ଆସନ ଉଛେଦ କରିଥିବାରୁ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ତାହାର ଜବାବ ଦେବାକୁ ନିଷ୍ପତ୍ତି

ପାଟଣାଗଡ, (ଗୋରେଖନାଥ ବରିହା) : ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ଆଦିବାସୀ ମାରଣନୀତି ଗୁଡିକୁ କଟୁ ସମାଲୋଚନା କରାଯାଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ସରପଞ୍ଚ ଆସନ, ବ୍ଲକ ଅଧ୍ୟକ୍ଷ ପଦବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଗୁଡିକୁ ଉଛେଦ କରିଥିବାରୁ ଏହାର ଜବାବ ଆଗାମୀ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ସୁଝାଇବାକୁ ଆହ୍ୱାନ କରାଯାଇଥିଲା । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ମାମଲା ସମାଧାନ ପାଇଁ ହାଇକୋର୍ଟର ଆଶ୍ରୟ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସରକାରଙ୍କ ପରାମର୍ଶ ଅନୁସାରେ ସଂଘ ତରଫରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଜନସଂଖ୍ୟା ଆଧାରରେ ପୂର୍ବବତ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ଲାଗୁ କରିବା ପାଇଁ ଓଡିଶା ହାଇକୋର୍ଟରେ ଡବ୍ଲୁ.ପି.ସି ନଂ ୧୩୬୦/ ୨୦୨୨ରେ ରାଜ୍ୟ ସରକାର, ରାଜ୍ୟ ନିର୍ବାଚନ ଅଯୁକ୍ତ ନାମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ମାମଲା ଦାୟର କରାଯାଇଛି । କିନ୍ତୁ ମାମଲା ଦାୟର କରିବାର ୩ ମାସ ବିତିଯାଇଥିଲେ ମଧ୍ୟ ଆଦିବାସୀମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ମାମଲାର ନିଷ୍ପତ୍ତି ହୋଇ ପାରୁନାହିଁ ବୋଲି ଆଦିବାସୀ ମାନେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ନକଲି ଆଦିବାସୀମାନଙ୍କ ମାମଲା ଦୀର୍ଘ ବର୍ଷ ଧରି ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନର କାର୍ଯ୍ୟାଳୟରେ ବିଚାର ନ ହୋଇପଡ଼ି ରହୁଛି, ଫଳରେ ନକଲି ଆଦିବାସୀ କର୍ମଚାରୀମାନେ ସରକାରଙ୍କ ରାଜକୋଷରୁ ଦରମା ହଡପ କରୁଛନ୍ତି ଏହା ସୁପ୍ରିମ କୋର୍ଟଙ୍କ ଆଦେଶର ପରିପନ୍ଥୀ ବୋଲି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ପ୍ରକାଶ କରିଥିଲେ । ସରକାର ଆଦିବାସୀମାନଙ୍କ ଜମି, ଜଳ, ଜଙ୍ଗଲକୁ ନକଲି ଆଦିବାସୀ ତଥା ବେନାମିଦାର ଜମି ମଳିକ ଠାରୁ ଉଦ୍ଧାର କରିବା, ଆଦିବାସୀ ମାନଙ୍କ ଶିକ୍ଷା ଭିତିଭୂମିକୁ ସୁଦୃଢ କରିବା, ବଜାର ଦର ବୃଦ୍ଧି ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ଅଧିକାର ସ୍ୱୀକୃତି ପ୍ରଦାନ ପ୍ରଭୃତି ଦାବୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବୈଠକରେ ସଂଘ ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶି, ସମ୍ପାଦକ ସାରଥୀ ବାଗ, ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ, ନୀଳାମ୍ବର ମାଝି, ଜଳ ଧରୁଆ, ଘନ ଭୋଇ, ଲେକୃ ଧରୁଆ, ଲଳିତ ମଲ୍ଲିକ, ଧୁବଳେଶ୍ୱର ଭୋଇ, ବଳରାମ ବରିହା, ମିତ୍ରଭାନୁ ଭୋଇ, ପ୍ରସନ୍ନ ମାଝି, ମନୋଜ ଲୁହା, ରଂଜିତ ବରିହା, ସୁବାଷ ମାଝି, ଅଷ୍ଟମୁ ମାଝି, ହୃଷିକେଶ ବରିହା, ବିଜୟ ମଲ୍ଲିକ, ମିତ୍ର ଧରୁଆ, ଦୁର୍ଯ୍ୟାଧନ ବର୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

18 + eleven =