
- ନଭେମ୍ବର ମାସ ରୁ ହେଲମେଟ ଚେକିଂ କଡ଼ାକଡ଼ି
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ଅଧକ୍ଷ ତଥା ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଜିଲ୍ଲାରେ ହୋଇଥିବା ୨୮ ଗୋଟି ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି ଯାହାକି ପୂର୍ବବର୍ଷ ତୁଳନାରେ ଅଧିକ । ତେଣୁ ଅଧିକ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ସିଂହ କହିଛନ୍ତି । ବୈଠକରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ସେପ୍ଟେମ୍ବର ମାସରେ ମୋଟ ୧୧୩୪ ଗୋଟି ଚାଲାଣ ବକେୟା ରହିଛି । ମୋଟ ୧୩,୦୪,୩୭୨ ଟଙ୍କା ଆଦାୟ ହୋଇଛି ଏବଂ ୭୪,୭୯,୬୮୪ ଟଙ୍କା ଆଦାୟ ବାକି ଅଛି । ଜିଲ୍ଲାରେ ୧୦ ଗୋଟି ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ସାତଟି ଜାତୀୟ ରାଜପଥରେ ଅଛି । ଅଧିକାଂଶ ମୃତ୍ୟୁ ବେପରୁଆ ଗାଡ଼ି ଚଳାଇବା ଯୋଗୁଁ ଘଟୁଥିବାରୁ ହେଲମେଟ୍ ଯାଞ୍ଚ କଡ଼ାକଡ଼ି କରିବା ଏବଂ ବେପରୁଆ ଗାଡ଼ି ଚଳାଇବା ଉପରେ ନଜର ରଖିବାକୁ ଜିଲ୍ଲାପାଳ ଅଧିକାରୀ ଓ ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବର୍ତ୍ତନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲା ଚିହ୍ନଟ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ (ଆର୍ଟିଓ) କୁହାଯାଇଛି । ପ୍ରବର୍ତ୍ତନ କାର୍ଯ୍ୟ ନିରନ୍ତର ଚାଲୁ ରହିବ । ଯେଉଁ ସ୍ଥାନରେ ଆଉ ଦୁର୍ଘଟଣା ଘଟୁନାହିଁ, ସେହି ବ୍ଲାକ୍ ସ୍ପଟ୍କୁ ତାଲିକାରୁ କିପରି ବାଦ୍ ଦିଆଯିବ ସେ ବିଷୟରେ ବୈଠକରେ ଆଲୋଚନା ହୋଇଛି । ଦୀପାବଳି ପରେ ନଭେମ୍ବରରୁ ଜିରୋ ଫାଟାଲିଟି ୱିକ୍ ଆରମ୍ଭ ହେବ । ତା’ପୂର୍ବରୁ ସୋନପୁର ପୌରପରିଷଦ ବ୍ଲକ୍ ଛକର ଟ୍ରାଫିକ୍ ଲାଇଟ୍ ମରାମତି କରିବେ ଏବଂ ପିକନିକ୍ ସ୍ଥାନ ଗୁଡ଼ିକରେ ପାଟ୍ରୋଲିଂ ବଢ଼ାଯିବ । ପିଏମ୍ ରାହତ ଯୋଜନା ବିଷୟରେ ସଚେତନତା ବଢ଼ାଯିବ । ଏହି ଯୋଜନାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ବେସରକାରୀ ଡାକ୍ତରଖାନା ଓ ନର୍ସିଂ ହୋମ୍ରେ ବୀମା ନଥିଲେ ବି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ବିହୀନ ଚିକିତ୍ସା ପାଇପାରିବେ । ପ୍ରାଣଘାତୀ ମାମଲାକୁ ଜରୁରୀକାଳୀନ ଭାବେ ନେଇ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସା ଦିଆଯିବ । ରାହାବୀର ଯୋଜନାରେ ପ୍ରାଥମିକ ଚିକିତ୍ସା ଦେଉଥିବା କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲ ନେଉଥିବା ବ୍ୟକ୍ତିଙ୍କୁ ସରକାର ୨୫,୦୦୦ ଟଙ୍କା ପୁରସ୍କାର ଦେବେ । ନୂଆ ଟ୍ରକ୍ ଟର୍ମିନାଲ୍ ପାଇଁ ସ୍ଥାନ ଚିହ୍ନଟ କରିବାକୁ ଆର୍ଟିଓଙ୍କୁ କୁହାଯାଇଛି । ବ୍ଲକ୍ ଛକରୁ ଆମ୍ବେଦକର ଛକ ମଧ୍ୟରେ ରାସ୍ତା ଦଖଲ କରିଥିବା ଫୁଟପାଥ ଦୋକାନୀଙ୍କୁ ସେମାନଙ୍କ ନିର୍ଦ୍ଦିଷ୍ଟ ଭେଣ୍ଡିଂ ଜୋନ୍କୁ ପଠାଯିବ । ଜିଲ୍ଲାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଥିଲା ।