ପାରିବାରିକ କଳହର କରୁଣ ପରିଣତି : ମହିଳାଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରାପଦର ଗ୍ରାମର ପ୍ରଶାନ୍ତ ପାଣିଗ୍ରାହୀଙ୍କ ସ୍ତ୍ରୀ କମଳିନୀ ପାଣିଗ୍ରାହୀ (୨୬) ଆଜି ସକାଳ ୯ ଟା ସମୟରେ ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ତିନି ବର୍ଷ ତଳେ ପ୍ରଶାନ୍ତ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗୁରୁଣ୍ଡା ଗ୍ରାମର ଶ୍ରବଣ କୁମାର ପୁରୋହିତଙ୍କ କନ୍ୟା କମଳିନୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତାଙ୍କର ଦୁଇ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛି । କମଳିନୀ ମୁକ ଓ ବଧିର ଥିଲେ ବୋଲି ଜଣାପଡିଛି । ଘଟଣାର ଖବର ପାଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ଗତ କିଛି ସମୟ ହେଲା ଘରେ ପାରିବାରିକ କଳହ ଲାଗି ରହିଥିଲା । ଯାହା ଫଳରେ କମଳିନୀ ଏହିଭଳି କଠୋର ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । କାରଣ ଯାହା ବି ହେଉ ନା କାହିଁକି ଆତ୍ମହତ୍ୟା କୌଣସି ସମାଧାନ ନୁହେଁ, ନିଜ ଛୋଟ ଛୁଆର ଭବିଷ୍ୟତ ବାବଦରେ ଚିନ୍ତା ନକରି ଆତ୍ମହତ୍ୟା କରି ମହିଳା ଜଣକ କଣ ପାଇଲେ ବୋଲି ଗ୍ରାମବାସୀ ଦୁଃଖର ସହିତ କହୁଛନ୍ତି । ଏନେଇ ଖପ୍ରାଖୋଲ ଥାନା ୟୁଡି କେସ ନଂ ୧୩/୨୦୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

4 × five =