ଶୁଭାରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା ଯୋଜନା : ଭିଡିଓ କନଫରେନ୍ସରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକରେ ଆଜି ରାଜ୍ୟ ସରକାରଙ୍କ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍‌ଚୁଆଲ ମୋଡରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରତି ଗାଁ ହେବ ସଶକ୍ତ ନାରାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ଏହି ଯୋଜନାରେ ବଲାଙ୍ଗିର ଜିଲ୍ଲାର ୧୪ ଗୋଟି ବ୍ଲକରେ ୧୫୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩୯୧୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସାମିଲ ହୋଇଛି । ବିଶେଷ କରି ଏ ଅଞ୍ଚଳର ରାସ୍ତା କାମ, ଜଳସେଚନ, ମଠ ମନ୍ଦିର ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଇଥିବା ବେଳେ ସମସ୍ତ ସ୍କୁଲ କଲେଜକୁ ୫-ଟିରେ ସାମିଲ କରାଇ ଶିକ୍ଷାର ବିକାଶ ପ୍ରତି ଧ୍ୟାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଥିଲେ ଉପସ୍ଥିତ ଜନସାଧାରଣ । ଏହି ଯୋଜନା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ୨୧ ଗୋଟି ପଞ୍ଚାୟତକୁ ୧୦ କୋଟି ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଜଣାପଡିଛି । ବିଡ଼ିଓ ଆକାଶ ରଞ୍ଜନ ସାହୁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟା ନନ୍ଦ ସେଠି ଉପସ୍ଥିତ ଥିବା ବେଳେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ଖପ୍ରାଖୋଲ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଜୋନ ୩ ଜିଲ୍ଲା ପରିଷଦ ସଭ୍ୟା ସଞ୍ଜୁକ୍ତା ମେହେର, ଜୋନ ୪ ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା ପାଥର, ବିଧାୟକ ପ୍ରତିନିଧି ରମେଶ ପଧାନ, ବ୍ଲକ ଉପାଧ୍ୟକ୍ଷ ଶୁଖିରାମ ଷାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି ଆଜିର ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସରପଞ୍ଚ ସଙ୍ଘ ବର୍ଜନ କରିଥିବା ବେଳେ ଖପ୍ରାଖୋଲ ବ୍ଲକର ୨୧ ଗୋଟି ପଞ୍ଚାୟତରୁ ୧୯ ଜଣ ସରପଞ୍ଚ ଏବଂ ଅଧାରୁ ଅଧିକ ସମିତି ସଭ୍ୟମାନେ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen − fourteen =