jayashree

ଶତପଞ୍ଚବିଂଶତି ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

  • ରେଶମ ବିଦ୍ୟାଳୟର ଉତ୍ସବକୁ ଆସିବା ପାଇଁ ଅନୁରୋଧ, ସାଂସଦ ପ୍ରଦୀପ ପୁରୋହିତଙ୍କ ସାନ୍ନିଧ୍ୟରେ ସାକ୍ଷାତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ମହୋତ୍ସବ ପାଳନ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଛି । ଗ୍ରାମର ପୁରାତନ ଛାତ୍ରଛାତ୍ରୀ ସଂଘ ଓ ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ ଏହି ନିମନ୍ତ୍ରଣ ଦିଆଯାଇଛି । ଏହି ଅବସରରେ ମହୋତ୍ସବ କମିଟିର ସଦସ୍ୟମାନେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ସାନ୍ନିଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ମହୋତ୍ସବରେ ଯୋଗଦେବା ପାଇଁ ଆନୁଷ୍ଠାନିକ ନିମନ୍ତ୍ରଣ ପ୍ରଦାନ କରିଥିଲେ । ସାକ୍ଷାତ ସମୟରେ ମହୋତ୍ସବର ଆୟୋଜନ, ବିଦ୍ୟାଳୟର ଗୌରବମୟ ଇତିହାସ, ଶିକ୍ଷାର ବିକାଶ ଓ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ଦୀର୍ଘ ବର୍ଷର ଶିକ୍ଷାଦାନ ଓ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ବିଦ୍ୟାଳୟର ଅବଦାନକୁ ସ୍ମରଣ କରି ଏହି ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ମହୋତ୍ସବର ଗରିମା ବୃଦ୍ଧି କରିବା ସହ ଅଞ୍ଚଳବାସୀଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ହେବ ବୋଲି ଆଶା ରଖାଯାଇଛି । ଏହି ନିମନ୍ତ୍ରଣ ସାକ୍ଷାତରେ ସଭାପତି ବିଦ୍ୟାଧର ପଧାନ, ଫିରୋଜ ପଧାନ, ପ୍ରତାପ ପଧାନ, ବସୁଦେବ ବାରିକ ମନୋରଞ୍ଜନ ପଧାନ, କୈଳାଶ ନାଏକ, ଜ଼ିଲ୍ଲା କୃଷକ ମୋର୍ଚ୍ଚାର ସମ୍ପାଦକ ଦେବେନ୍ଦ୍ର ପାତ୍ର ଏବଂ ସ୍ଥାନୀୟ ଅଞ୍ଚଳର ଯୁବନେତା ସୁନୀଲ ବାରିକଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରେଶମ ଗ୍ରାମରେ ଏହି ଶତପଞ୍ଚବିଂଶତି ମହୋତ୍ସବ ଆୟୋଜିତ ହେବ । ଏହି ମହୋତ୍ସବରେ ପୁରାତନ ଛାତ୍ରଛାତ୍ରୀ, ଗ୍ରାମବାସୀ, ଶିକ୍ଷାବିତ୍‌, ଅତିଥି ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମାଗମ ହେବା ସହ ବିଦ୍ୟାଳୟର ଗୌରବମୟ ଯାତ୍ରାକୁ ସ୍ମରଣ କରାଯିବ ।

Leave A Reply

Your email address will not be published.