
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ଅର୍ଥନୀତି ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ଉତ୍ସବ ପରିବେଶ ଅନୁକୂଳ ଅନୁଭୁତି, ନୂତନ ଯାତ୍ରାରମ୍ଭ, ନୂତନ ବନ୍ଧୁ, ନୂତନ ସ୍ମୃତି ସମୂହ ଶୀର୍ଷକରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ଦୀପ ପ୍ରଜ୍ଜ୍ୱଳନ, ପୁଷ୍ପଗୁଚ୍ଛ ଓ ବ୍ୟାଜ୍ ପ୍ରଦାନ କରାଯାଇଥିଲା । ଛାତ୍ର ୱାଲ୍ଟର ଗୁଡିଆ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ, “ଅର୍ଥନୀତି କେବଳ ଏକ ବିଷୟ ନୁହେଁ, ଏହା ହେଉଛି ଜୀବନକୁ ବୁଝିବାର କଳା । ଆମ ପ୍ରତିଦିନର ନିଷ୍ପତ୍ତି ସବୁ ଅର୍ଥନୀତି ସହ ଜଡ଼ିତ । ଆଜି ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ରାଷ୍ଟ୍ର ଭାବେ ପରିଗଣିତ । ଏହି ବିକାଶରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅର୍ଥନୀତି ତୁମକୁ କେବଳ ଚାକିରି ଦେବ ନାହିଁ, ଜୀବନରେ ସଠିକ୍ ନିଷ୍ପତ୍ତି ନେବାର ଶକ୍ତି ଦେବ” । ଏହି ଅବସରରେ ବିଭାଗୀୟ ମୁଖ୍ୟ ପ୍ରଫେସର ବୈଜୟନ୍ତୀ ବାରିକ, ପ୍ରଫେସର ସୁଶାନ୍ତ ପଟେଲ, ପିଜିଟି ଅନମୋଲ ବାରୁ ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପରେ ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳ ଓ ପାରସ୍ପରିକ ପରିଚୟ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ରଛାତ୍ରୀ ଶୁଭମ ମଲ୍ଲିକ, ଆର୍ଯ୍ୟନ ପ୍ରଖର, ସୁଚିସ୍ମିତା ପ୍ରଧାନ, ପ୍ରେମିକା ଓରାମ, ମୋନାଲିସା କୁଲୁ ଓ ପ୍ରିୟଙ୍କା କିସପଟ୍ଟା, ରମ୍ୟ ରାଧିକା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆର୍ଯ୍ୟନ ପ୍ରଖର ଧନ୍ୟବାଦ ଅର୍ପଣ କରିଥିଲେ ।