
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଦିନ ଦ୍ୱିପ୍ରହରରେ ଲୁଟେରାଙ୍କ ଆତଙ୍କ । ସୋଲାର ପ୍ୟାନେଲ୍ ଲଗାଇବା ବାହାନାରେ ଘରେ ପଶି ମହିଳାଙ୍କୁ ବାଥରୁମ୍ରେ ବନ୍ଦ କରି ଲୁଟିନେଲେ ସୁନା, ରୂପା ଓ ନଗଦ ଟଙ୍କା । ଏଭଳି ଘଟଣା ଘଟିଛି ବଲାଙ୍ଗିର ସହରର ସୀତାରାମ ନଗରରେ । ସୂଚନା ଅନୁସାରେ, ଅନନ୍ତ କୁମାର ମିଶ୍ରଙ୍କ ଘରେ ଦିନ ପ୍ରାୟ ୧୨ଟା ସମୟରେ ତିନି ଜଣ ଦୁର୍ବୃତ୍ତ ସୋଲାର ଲଗାଇବା ବାହାନାରେ ପହଞ୍ଚିଥିଲେ । ସେହି ସମୟରେ ଘରେ ଏକା ଥିବା ଅନନ୍ତଙ୍କ ବଡ଼ ଭଉଣୀଙ୍କୁ ଧମକ ଦେଇ ବାଥରୁମ୍ରେ ବନ୍ଦ କରିଦେଇଥିଲେ । ପରେ ୧୩ ଭରି ସୁନା, ୧୨ ଭରି ରୂପା ଓ ନଗଦ ୧୦ ହଜାର ଟଙ୍କା ଲୁଟି ଫେରାର୍ ହୋଇଯାଇଥିଲେ । ଏନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛନ୍ତି । ଲୁଟେରାଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି ପରିବାର ଲୋକେ ।