pakka

ଜିଲ୍ଲା ସ୍ୱାସ୍ଥ୍ୟ କମିଟି ବୈଠକ ଅନୁଷ୍ଠିତ

bbehera
  • କୋଭିଡ୍ ସ୍ଥିତି ଗୁରୁତ୍ୱପୂର୍ଣ୍ଣ ନେଇ ସତର୍କତା ଉପରେ ଗୁରୁତ୍ୱ ଦେବା ଜରୁରୀ : ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ କମିଟି ବୈଠକ ଓସ୍ୱାନ୍ ହଲ୍‌ରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଜଣାଇଥିଲେ ଯେ, ଜିଲ୍ଲାର ପ୍ରତିଟି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯେଭଳି ଠିକ୍ ରହିବ ସେ ଦିଗରେ ସମସ୍ତ ବିଭାଗର ଗୁରୁଦାୟିତ୍ୱ ରହିଛି । ବର୍ତ୍ତମାନ ଜିଲ୍ଲାରେ କୋଭିଡ୍ ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହାର ମୁକାବିଲା ସକାଶେ ଜିଲ୍ଲାବାସୀ ସଚେତନତା ଏବଂ ସତର୍କତା ଉପରେ ଗୁରୁତ୍ୱ ଦେବା ଜରୁରୀ । ଜିଲ୍ଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣି ଯେପରି ସୁନାମ ଅର୍ଜନ କରିବ ସେ ଦିଗରେ ସମସ୍ତ ସଂପୃକ୍ତ ବିଭାଗ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ।

ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟଜନିତ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଯକ୍ଷ୍ମା ରୋଗର ଲକ୍ଷଣ ପୂର୍ବରୁ ଚିହ୍ନଟ କରାଯାଇ ଅନେକ ଲୋକଙ୍କୁ ଚିକିତ୍ସା ଦିଆଯାଇ ପାରୁଛି । ଯକ୍ଷ୍ମା ରୋଗର ଚିହ୍ନଟ ପ୍ରକ୍ରିୟା ତଳ ସ୍ତରରୁ ଘରକୁ ଘର ବୁଲି କରାଯାଉ । ଜିଲ୍ଲାରେ ପରିବାର ନିୟୋଜନ କାର୍ଯ୍ୟକୁ ପରିଚାଳନା କରିବା ଦିଗରେ କାର୍ଯ୍ୟଭାର ଗ୍ରହଣ କରିଥିବା ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ରୋଗୀ କଲ୍ୟାଣ ସମିତି ଦ୍ୱାରା କରାଯାଉଥିବା କାର୍ଯ୍ୟାବଳୀ, ଖର୍ଚ୍ଚ, ସାମଗ୍ରୀ ଓ ସରଞ୍ଜାମ କ୍ରୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ଯୋଜନା ଅନ୍ତର୍ଗତ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଯାଇଛି । ଜନ ଔଷଧି କେନ୍ଦ୍ର, ବ୍ରହ୍ମପୁର ସିଟି ହସ୍ପିଟାଲର କାର୍ଯ୍ୟକାରୀ କମିଟି ଦ୍ୱାରା ପରିଚାଳନା ହେଉଥିବା ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା । ଜିଲ୍ଲାରେ ଚିକିତ୍ସାଳୟର ଆବଶ୍ୟକତାକୁ ଲକ୍ଷ୍ୟକରି ଚିକିତ୍ସାଳୟ ନିର୍ମାଣ ଏବଂ ଏହାର ଅଗ୍ରଗତି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ବର୍ତ୍ତମାନ ଚାଲୁଥିବା କୋଠାଗୃହର ନିର୍ମାଣ କାର୍ଯ୍ୟ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା । ଯେଉଁ ଅଞ୍ଚଳରେ ଜାଗା ସମ୍ପର୍କିତ କିଛି ସମସ୍ୟା ରହିଛି ତେବେ ନିକଟବର୍ତ୍ତୀ ସ୍ଥାନ ଚିହ୍ନଟ କରି ନିର୍ମାଣ କାର୍ଯ୍ୟଧାରାକୁ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଠା ନିର୍ମାଣ ନିମନ୍ତେ ଦାୟିତ୍ୱ ଗ୍ରହଣ କରିଥିବା ଲାଇନ୍ ବିଭାଗ ସ୍ୱାସ୍ଥ୍ୟ କୋଠା ନିର୍ମାଣ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୁହାଯାଇଛି । ଯଥାଶୀଘ୍ର କାର୍ଯ୍ୟ ଶେଷ ହେଲେ ଜିଲ୍ଲାବାସୀଙ୍କର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ନେଇ ସେମାନଙ୍କ ଅତି ନିକଟରେ ଚିକିତ୍ସା ସୁବିଧା ହାସଲ ହୋଇପାରିବ ବୋଲି ମତ ରଖାଯାଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ୍ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ଓ ସମସ୍ତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 × four =

error: Content is protected !!