
ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ଓ ସେକ୍ଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ଓ ଶ୍ରୀ ଅରବିନ୍ଦ ଦର୍ଶନରେ ଭାଗବତ ତତ୍ୱ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କେଶବ ନଗର ଶାଖା ସଭାପତି ଶିକ୍ଷାବିତ ବିଜୟିନୀ ଜେନାଙ୍କ ଆବାହକତ୍ୱ ଓ ସ୍କୁଲର ଶିକ୍ଷୟତ୍ରୀ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଆର୍ଏସ୍ପି ଡିଜିଏମ୍ ସୁବାସ ମହାପାତ୍ର, ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ସୁସ୍ମିତା ମହାପାତ୍ର ଓ ସ୍ୱତନ୍ତ୍ର ଅତିଥି ଭାବେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ, ସ୍କୁଲର ତଥା ନିର୍ଦ୍ଦେଶିକା ଡ. ଜ୍ୟୋସ୍ନା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ଅତିଥି ଓ ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ସାଧାରଣ ମଣିଷ ଏକ ଦିବ୍ୟବ୍ୟକ୍ତିରେ ପରିଣତ କରିବା ପାଇଁ ଭାଗବତ ଓ ଶ୍ରୀଅରବିନ୍ଦ ଯେଉଁ ଉପାୟ ଦେଇଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କ ବକ୍ତବ୍ୟରେ ଗୁରୁ ହେଉଛନ୍ତି ପରମାତ୍ମାଙ୍କ ପାଖରେ ପହଞ୍ଚାଇବା ପାଇଁ ମାଧ୍ୟମ । ଭାଗବତର ଶ୍ଳୋକ ବୁଝିପାରିଲେ ଦ୍ୱନ୍ଦ ଦୂରହେବ । ସ୍ଥିତପ୍ରଜ୍ଞତା, ମାନବାନ୍ତର, ବିବର୍ତ୍ତନବାଦ, ଭୌତିକ ଜଗତ ପ୍ରତି ଅନାସକ୍ତ ଭାବ, ଭାଗବତର ଲକ୍ଷ୍ୟ, ଆଧ୍ୟାତ୍ମିକ ଚେତନାର ଉତ୍ତରଣ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ଭାଗବତର ମୂଳକଥା ‘ଭା’ରୁ ଭାଗବତ, ‘ଗ’ରୁ ଜ୍ଞାନ, ‘ବ’ରୁ ବୈରାଗ୍ୟ ଓ ‘ତ’ରୁ ତତ୍ୱ ସମ୍ପର୍କରେ ଆଲୋଚନା କରିବା ସହ ଯାହା ଏବେ ବିଜ୍ଞାନରେ ଅଛି ତାହା ଭାଗବତରେ ଥିଲା ବୋଲି ମତ ରଖିଥିଲେ । ଭାଗବତର ଲେଖା ଓ ଶ୍ରୀ ଅରବିନ୍ଦଙ୍କ ଲେଖା ମଧ୍ୟରେ କିପରି ତାରତମ୍ୟ ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ଆଭିମୁଖ୍ୟ, ସଭାପତି ଶ୍ରୀମତୀ ଜେନା ସଭାପତିତ୍ୱ ଅଭିଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସ୍କୁଲର ଅଧ୍ୟକ୍ଷା ମମତା ନାୟକ ତାଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆମର ପୁରୁଣା ସଂସ୍କୃତି କିପରି ମାନବବାଦ ଉପରେ ପର୍ଯ୍ୟବେସିତ ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ସାଧୁବାଦ୍ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ, ଗଙ୍ଗାଧର ପୁହାଣ, ତୁଷାର କାନ୍ତ ମିଶ୍ର, ସୁନିଲ ଦାଶ, ପୁଷ୍ପାଞ୍ଜଳି ମହାନ୍ତି, ସନ୍ଧ୍ୟାରାଣୀ ଲେଙ୍କା, ରଞ୍ଜିତ ଦାସ, କଳ୍ପନା ଚୌଧୁରୀ, ବନ୍ଦନା ଦାସ, ନଳିନୀ ଦାସ, ଅଞ୍ଜଳି ମହାନ୍ତି, ସୁଶାନ୍ତ ରାଉତ, ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଗୌତମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।