
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲିଙ୍ଗଗତ ହିଂସା ବିରୋଧରେ ଚାଲିଥିବା ୧୬ ଦିନିଆ ଅଭିଯାନ ଅବସରରେ ବ୍ରହ୍ମପୁର ବ୍ରଜ ନଗରସ୍ଥିତ ମିଶନ ଶକ୍ତି ଭବନରେ “ସୁରକ୍ଷିତ ସହର ଓ ନଗର” ନେଇ ଏକ ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ବ୍ରହ୍ମପୁର ସହରାଞ୍ଚଳ-୧ ପକ୍ଷରୁ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଗଞ୍ଜାମଙ୍କ ସହଯୋଗରେ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ସୌଜନ୍ୟରେ ଏହା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ କମିଟିର ସଦସ୍ୟ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଲିଙ୍ଗ ବିଶେଷଜ୍ଞ, ସାମର୍ଥ୍ୟ ବବିତା ମହାରଣା, ୱାନ୍ ଷ୍ଟପ୍ ସେଣ୍ଟରର ଲିଗାଲ୍ ଆଡଭାଇଜର ସ୍ନେହମୟୀ ପାଢ଼ୀ, ସିଡ଼ିପିଓ ପ୍ରମୋଦା ଦାସ, ୪ ଜଣ କର୍ପୋରେଟର, ଆଇସିଡ଼ିଏସ୍ ସୁପରଭାଇଜର, ସ୍ୱଚ୍ଛ ସାଥୀ, ଅଙ୍ଗନୱାଡ଼ି କର୍ମୀ, ବିଏଲ୍ଏଫ୍ ସଦସ୍ୟା ଏବଂ ସହରାଞ୍ଚଳର ସମ୍ପୃକ୍ତ କର୍ମଚାରୀ ଯୋଗଦେଇଥିଲେ । ଏହି ଅବସରରେ ସହରାଞ୍ଚଳ କର୍ମଚାରୀଙ୍କୁ ମହିଳାଙ୍କ ପ୍ରତି ହିଂସା ରୋକିବା, ହିଂସାର ଶିକାର ମହିଳାଙ୍କୁ ଚିହ୍ନଟ କରି ଆବଶ୍ୟକ ସହାୟତା ଓ ସୁରକ୍ଷା ଯୋଗାଇବା, ଏବଂ ସେମାନଙ୍କୁ ଓନ୍ ଷ୍ଟପ୍ ସେଣ୍ଟର, ମହିଳା ହେଲ୍ପଲାଇନ, ପୋଲିସ ଓ ଅନ୍ୟାନ୍ୟ ସମ୍ପୃକ୍ତ ସହାୟତା ସେବା ସହ ଯୋଡ଼ିବା ବିଷୟରେ ପ୍ରଶିକ୍ଷଣ ଓ ସଚେତନତା ଦିଆଯାଇଥିଲା । ସହରର ବିଭିନ୍ନ ରାସ୍ତା, ଗଳି, ସର୍ବସାଧାରଣ ସ୍ଥାନ, ବସ୍ଷ୍ଟାଣ୍ଡ ଓ ଅନ୍ୟାନ୍ୟ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ କାର୍ଯ୍ୟକ୍ଷମ ଅଛି କି ନାହିଁ ଯାଞ୍ଚ କରିବା, ଅନ୍ଧକାରମୟ ଅଞ୍ଚଳ ଚିହ୍ନଟ କରିବା, ମହିଳା ଓ ଶିଶୁଙ୍କ ପାଇଁ ଅସୁରକ୍ଷିତ ସ୍ଥାନ ଚିହ୍ନଟ କରିବା ଏବଂ ସେଠାରେ ଆବଶ୍ୟକ ମରାମତି, ଆଲୋକ ବ୍ୟବସ୍ଥା ଓ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି, କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିରୋଧ ଆଇନ ଅନୁଯାୟୀ, ୧୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ଥିବା ସଂସ୍ଥାଗୁଡ଼ିକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ହୋଇଛି କି ନାହିଁ ଏବଂ ଏହା ସକ୍ରିୟ ଭାବେ କାର୍ଯ୍ୟ କରୁଛି କି ନାହିଁ ଯାଞ୍ଚ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏଥିସହ କର୍ମଚାରୀଙ୍କୁ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବା ଏବଂ ମହିଳାଙ୍କ ପାଇଁ ସୁରକ୍ଷିତ, ସମ୍ମାନଜନକ ଓ ହିଂସାମୁକ୍ତ କର୍ମପରିବେଶ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବକ୍ତାମାନେ କହିଥିଲେ ଯେ, ମହିଳା ଓ ଶିଶୁଙ୍କ ସୁରକ୍ଷା କେବଳ ଗୋଟିଏ ବିଭାଗ କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ; ଏହା ସମସ୍ତ ସରକାରୀ ସଂସ୍ଥା, ସହରାଞ୍ଚଳ ପ୍ରଶାସନ, ସମୁଦାୟ ଓ ନାଗରିକଙ୍କ ସାମୂହିକ ଏବଂ ନୈତିକ ଦାୟିତ୍ୱ । ସମସ୍ତଙ୍କ ମିଳିତ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ହିଁ ଏକ ସୁରକ୍ଷିତ, ହିଂସାମୁକ୍ତ ଓ ଅନ୍ତର୍ଭୁକ୍ତିମୂଳକ ସହର ଗଠନ ସମ୍ଭବ । ଏହି ଅବସରରେ ମହିଳା ଓ ଶିଶୁଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।