jayashree

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

  • କ୍ରୀଡ଼ା ହିଁ ଶିଶୁଙ୍କ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ସର୍ବାଙ୍ଗୀନ ବିକାଶର ମାଧ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ସହିତ କ୍ରୀଡ଼ାର ସମନ୍ୱୟ ହିଁ ଶିଶୁଙ୍କ ସୁସ୍ଥ, ସୁନ୍ଦର ଓ ସର୍ବାଙ୍ଗୀନ ବିକାଶର ମୂଳମନ୍ତ୍ର । ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ସ୍ଥାନୀୟ କଲେଜ ଛକସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଦୁଇଦିନ ଧରି ମହାଆଡ଼ମ୍ବର, ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇ ଶନିବାର ଉଦ୍‌ଯାପିତ ହୋଇଯାଇଛି । ନଭେମ୍ବର ୨୭ ଓ ୨୮ ତାରିଖରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା, ଦକ୍ଷତା ଓ କ୍ରୀଡ଼ା ନୈପୁଣ୍ୟର ପରିଚୟ ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତ୍ରିବିକ୍ରମ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବଲାଙ୍ଗିରର ଆଞ୍ଚଳିକ ପ୍ରବନ୍ଧକ ସାଇକୃଷ୍ଣ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ଏଡିବି, ବଲାଙ୍ଗିରର ଶାଖା ପ୍ରବନ୍ଧକ ସତ୍ୟଜିତ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜ ଛକସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଆସିଥିବା ମଶାଲ ଶୋଭାଯାତ୍ରା ମାଧ୍ୟମରେ କ୍ରୀଡ଼ା ଉତ୍ସବର ଶୁଭାରମ୍ଭ ହୋଇଥିଲା । କ୍ରୀଡ଼ା ଉତ୍ସବର ସୂଚାରୁ ରୂପେ ପରିଚାଳନା ଦାୟିତ୍ୱ ଗୁରୁଜୀ କୃଷ୍ଣଚନ୍ଦ୍ର ରଣା ତୁଲାଇଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସକ୍ରିୟ ସହଯୋଗ କରିଥିଲେ । ଉତ୍ସବର ଦ୍ୱିତୀୟ ଦିନରେ ଶିଶୁ ବାଟିକା ବିଭାଗର ଅରୁଣ ଶ୍ରେଣୀରୁ ଆରମ୍ଭ କରି ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ କୁନିକୁନି ଶିଶୁମାନଙ୍କ ପାଇଁ ବିଭିନ୍ନ ମନୋରଞ୍ଜନ ଧର୍ମୀ ଓ ପ୍ରତିଯୋଗିତାମୂଳକ କ୍ରୀଡ଼ା ଆୟୋଜିତ ହୋଇଥିଲା । ଏହି ଅବସରରେ ଓକିଲ ତଥା ସମାଜସେବୀ ଶ୍ରୀମତୀ ମିନାକ୍ଷୀ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷା ବିକାଶ ସମିତି, ଓଡ଼ିଶାର ସଙ୍ଗଠନ ମନ୍ତ୍ରୀ ତାରକ ଦାସ ସରକାର ଏବଂ ଦକ୍ଷିଣ ପଶ୍ଚିମ ସମ୍ଭାଗର ସହ-ସଂଯୋଜକ ତଥା ବଲାଙ୍ଗିର ବିଭାଗ ପ୍ରମୁଖ ପ୍ରକାଶ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁନିକୁନି ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଲନ୍ ବଲ୍ ସଂଘର ସମ୍ପାଦକ ତଥା ରାଜ୍ୟ ସନ୍ତରଣ ସଂଘର ଉପସଭାପତି ସୁମିତ ରଞ୍ଜନ ପୁରୋହିତ ମୁଖ୍ୟ ଅତିଥି ଏବଂ ଓଡ଼ିଶାର ଲନ୍ ବଲ୍ କୋଚ୍ କୈଳାସ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ନିଜ ଅଭିଭାଷଣରେ ଶ୍ରୀ ପୁରୋହିତ କହିଥିଲେ ଯେ, ତୃଣମୂଳ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ଆବଶ୍ୟକ । ଏଭଳି ପ୍ରତିଭାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦେଇ ଜିଲ୍ଲା ସ୍ତରରୁ ରାଜ୍ୟ ଏବଂ ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ସମସ୍ତ ପ୍ରକାର ପ୍ରୟାସ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିମାନେ ଶିକ୍ଷା ସହିତ କ୍ରୀଡ଼ାର ସମାନ ଗୁରୁତ୍ୱ ରହିଥିବା ଉଲ୍ଲେଖ କରିଥିଲେ । କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ଶିଶୁମାନଙ୍କ ମଧ୍ୟରେ ଶୃଙ୍ଖଳା, ଧୈର୍ଯ୍ୟ, ଆତ୍ମବିଶ୍ୱାସ, ନେତୃତ୍ୱ ଗୁଣ ଓ ଦଳଗତ ମନୋଭାବ ବିକଶିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସେମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ନିଳାଞ୍ଚଳ ଚିରଗୁନ, ପରିଚାଳନା ସମିତିର ଉପସଭାପତି ଗୋଦାବରୀଶ ରଥଙ୍କ ସମେତ ସମିତିର ଅନ୍ୟାନ୍ୟ ସଦସ୍ୟ, ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ । ଦୁଇଦିନ ଧରି ଚାଲିଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ପୁରସ୍କୃତ କରିଥିଲେ । ଶିଶୁମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସୁସ୍ଥ ପ୍ରତିଯୋଗିତା, ଶୃଙ୍ଖଳା ଓ ଆତ୍ମବିଶ୍ୱାସର ବିକାଶ ସହ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଆନନ୍ଦ, ଉତ୍ସାହ ଓ ସଫଳତାର ସହ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.