ଲୋକଙ୍କ ତଣ୍ଟି ଶୁଖିଯାଉଛି : ସରମୁହାଣ ବସୁଧା ଜଳ ପ୍ରକଳ୍ପ ଅଚଳ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ବିଭିନ୍ନ ପ୍ରକଳ୍ପ ଯଥା ସ୍ବଜଳଧାରା ଓ ବସୁଧା ଆଦି ପ୍ରକଳ୍ପ ମାଧ୍ୟମରେ ପାନୀୟଜଳ ଯୋଗାଇ ଦେଉଛନ୍ତି ହେଲେ ପ୍ରକଳ୍ପଟି ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବା ଯୋଗୁଁ ଲୋକେ ପାନୀୟ ଜଳ ପାଇ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସରମୁହାଣ ପଞ୍ଚାୟତର ସରମୁହାଣ ଗ୍ରାମରେ ସ୍ଥାପିତ ହେଇଥିବା ବସୁଧା ପ୍ରକଳ୍ପଟି ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ପ୍ରକୋପ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବସୁଧା ଜଳ ପ୍ରକଳ୍ପ ଅଚଳ ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ ଯେ ପ୍ରକଳ୍ପଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ବସୁଧା ପ୍ରକଳ୍ପଟି ଲୋକଙ୍କ କାମରେ ଆସୁନି । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀ ପ୍ରକଳ୍ପରୁ ଗ୍ରାମକୁ ପାନୀୟଜଳ ଯୋଗାଇ ଦିଆଯାଉଥିବା କାଗଜପତ୍ର ସଠିକ ରହିଥିବା ଜଣାପଡିଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଗୋଦରା ଗୋଡ଼ ଭଲି କାମ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କାରେ ନିର୍ମିତ ବସୁଧା ପ୍ରକଳ୍ପଟି ନାମକୁ ମାତ୍ର ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ସଂଖ୍ୟା ବିଶିଷ୍ଟ ସରମୁହାଣ ଗ୍ରାମରେ ପାନୀୟ ଜଳର ସୁବିଧା ନଥିବାରୁ ଘୋର ଅସୁବିଧା ସମୁଖୀନ ହୋଇଥିବା ଅଭିଯୋଗ ହେଉଛି । ସରକାରଙ୍କ ବସୁଧା ପ୍ରକଳ୍ପଟି ନିର୍ମାଣ କାର୍ଯ୍ୟରେ କୋଟି ଟଙ୍କା ପାଣିରେ ପଡୁଥିବା ଏଥିରୁ ଅନୁମେୟ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅଚଳ ବସୁଧା ପ୍ରକଳ୍ପକୁ ସଚଳ କରି ପାନୀୟ ଜଳ ଯୋଗାଇ ଦେବାକୁ ସରମୁହାଣ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

nine − one =

error: Content is protected !!