jayashree

ଅଲଣ୍ଡା ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ : ଆବାସ ଟଙ୍କା ଓ ଭତ୍ତା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତରେ ସରକାରୀ ଯୋଜନାକୁ ନେଇ ଉଠିଛି ଗୁରୁତର ଅଭିଯୋଗ । ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ଆବାସ ଯୋଜନାର ଶ୍ରମିକ ଟଙ୍କା ମିଳୁନଥିବା ବେଳେ ଘରର ଫଟୋ ଉଠାଇବା ଏବଂ ଭତ୍ତା କରାଇଦେବା ନାଁରେ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ, ପଞ୍ଚାୟତ ଅନ୍ତର୍ଗତ ପିତାମହୁଲ ଗାଁର ବନିତା ବାଗ, ସନତ ବାଗ, ଗାୟତ୍ରୀ ମାଝୀ, ଜ୍ୟୋତ୍ସ୍ନା ମାଝୀ, ବେଲମତି ମାଝୀ, ଭୂମିସୂତା ବାଗ, ମଥୁରା ବାଗ, ପୁଣ୍ୟ ପୁଞ୍ଜି, ନିଲେନ୍ଦ୍ରୀ ବାଗ ଓ କମଳା ପୁଞ୍ଜିଙ୍କ ନାଁରେ ଆବାସ ଯୋଜନାରେ ଘର ମଞ୍ଜୁର ହୋଇଥିଲା । ହିତାଧିକାରୀମାନେ ନିର୍ଦ୍ଧାରିତ ସମୟରେ ଘର ନିର୍ମାଣ କରିଥିଲେ ମଧ୍ୟ କାହାର ଶ୍ରମିକ ଟଙ୍କା ଅଧା ପଡ଼ିଛି ତ ଆଉ କାହାକୁ ଟଙ୍କାଟିଏ ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି । ଏପରିକି କେତେକ ହିତାଧିକାରୀଙ୍କ ଅନ୍ୟାନ୍ୟ ପ୍ରାପ୍ୟ ମଧ୍ୟ ବାକି ରହିଥିବା କୁହାଯାଇଛି । ଅନ୍ୟପଟେ, ଘରର ଜିଓ ଟ୍ୟାଗ୍‌ ଫଟୋ ଉଠାଇବା ପାଇଁ ବନହରି ବାଗ ନାମକ ବ୍ୟକ୍ତି ପ୍ରତିଥର ୫୦୦ରୁ ୧୦୦୦ ଟଙ୍କା ନେଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ସେହିପରି, ଦୃଷ୍ଟିହୀନ ଦିବ୍ୟାଙ୍ଗ ଇଶ୍ୱର ପୁଞ୍ଜିଙ୍କଠାରୁ ୩୫୦୦ ଟଙ୍କାର ଭତ୍ତା କରାଇଦେବା ନାଁରେ ୧୦୦୦ ଟଙ୍କା ନିଆଯାଇଥିବା ଅଭିଯୋଗ ଆସିଛି । ଦିବ୍ୟାଙ୍ଗ ଗୋପବନ୍ଧୁ ପୁଞ୍ଜିଙ୍କ ଭତ୍ତା ମଧ୍ୟ ପୂର୍ବରୁ ୧୨୦୦ ଟଙ୍କା ଥିବାବେଳେ ଏବେ ୧୦୦୦ ଟଙ୍କା ମିଳୁଥିବା ସେ ଅଭିଯୋଗ କରିଛନ୍ତି । ଗରିବ ଓ ଅସହାୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁବିଧା ମିଳିବା ବଦଳରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଘଟଣାର ନିରପେକ୍ଷ ତଦନ୍ତ ଦାବି ହୋଇଛି । ଦୋଷ ପ୍ରମାଣିତ ହେଲେ ସମ୍ପୃକ୍ତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଓ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଦାବି ଉଠିଛି ।

Leave A Reply

Your email address will not be published.