pakka

କୁତୁର୍ଲା ପେକ୍ସ ଚାଷୀଙ୍କ ସଙ୍ଗୀନ ଅଭିଯୋଗ : ଦୁର୍ନୀତିକୁ ଚାପି ଦେଇଛି ଦୁର୍ନୀତି ନିବାରଣ ବିଭାଗ

kalikesh

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ କୁତୁର୍ଲା ପେକ୍ସର ଚାଷୀମାନେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ମତାନୁସାରେ ଦୁର୍ନୀତିକୁ ଚାପି ଦେଇଛି ଦୁର୍ନୀତି ନିବାରଣ ବିଭାଗ । କୁହାଯାଇଛି ଯେ, କିଛି ବର୍ଷ ପୂର୍ବେ ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ପେକ୍ସରେ ଘୋର ଆର୍ଥିକ ଅନିୟମିତତା ଓ ଦୁର୍ନୀତିକୁ ନେଇ ଦୁର୍ନୀତି ବିଭାଗ ଚଢାଉ କରିଥିଲା । ଏଥିସହ କୁତୁର୍ଲା ପେକ୍ସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଉକ୍ତ ଚଢାଉକୁ ୭ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ବଲାଙ୍ଗିର ଦୁର୍ନୀତି ନିବାରଣ ବିଭାଗ ଏଯାଏଁ ଚୁପ୍‌ ବସିଛି । ବିଭାଗର ଏଭଳି କାର୍ଯ୍ୟ ଦୁର୍ନୀତିକୁ ଚାପି ଦେବାରେ ସଫଳ ହୋଇଛି ବୋଲି ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ କୁତୁର୍ଲା ପେକ୍ସର ଚାଷୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ଆଜି ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁତୁର୍ଲା ଗାଁର ଚାଷୀ ଭାଗବତ ନାୟକ, ଅନାଦି ଚରଣ ପାଣିଗ୍ରାହୀ, ସୁକାନ୍ତ ସାଗର ଓ ସୁଶାନ୍ତ ସାହୁ ମଞ୍ଚାସୀନ ହୋଇ ବଲାଙ୍ଗିର ଡିଆରସିଏସ୍‌, ଜିଲାପାଳ ଓ ବଲାଙ୍ଗିର ବିଧାୟକଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବୀପତ୍ର ଦେଇଥିବା ସୂଚନା ଦେଇଥିଲେ । ଚାଷୀ ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଗତ ୧୦ ବର୍ଷ ହେଲା ପେକ୍ସ ପକ୍ଷରୁ ଗୋଟିଏ ବି ଜିବି ମିଟିଂ ହୋଇନାହିଁ । ସେ ଆହୁରି କହିଛନ୍ତି ଯେ, ଆମର ଅଂଶ ଗଚ୍ଛିତ ହିସାବ ପାଇପାରୁ ନଥିବା ବେଳେ ନକଲି ପାର୍ଚ୍ଚାରେ ଅନେକ ଦୁର୍ନୀତି ହେଉଛି । ନକଲି ଚାଷୀଙ୍କୁ ପେକ୍ସରେ ସ୍ଥାନୀତ କରାଯାଇଥିବା ବେଳେ ସେମାନେ ଚାଷୀ ନହୋଇ ଚାଷ କିପରି କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ସେହିପରି ଗ୍ରାମର ଅନ୍ୟତମ ବରିଷ୍ଠ ନାଗରିକ ତଥା ଚାଷୀ ଶ୍ରୀ ପାଣିଗ୍ରାହୀ କୁତୁର୍ଲା ପେକ୍ସରେ ଭୂତ ଚାଷୀଙ୍କ ନାଁରେ ଋଣ ଉଠିଛି ବୋଲି ମତ ଦେବା ସହ ଯେଉଁମାନେ ଦୀର୍ଘ ବର୍ଷ ହେଲା ମୃତ୍ୟୁବରଣ କରିସାରିଲେଣି ସେମାନଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଋଣ ଉଠାଣ ହୋଇଥିବା ବେଳେ ଭିଜିଲାନ୍ସ ପାଖରେ ସବୁକିଛି ଫାଇଲ୍‌ ରହିଥିଲେ ବି ଭିଜିଲାନ୍ସ ବିଭାଗ ଆଖି ବୁଜି ଦେଇଛି ବୋଲି କହିଥିଲେ । ଯୁବ ଚାଷୀ ଶ୍ରୀ ସାଗର ପେକ୍ସରେ ମନଇଚ୍ଛା କାରବାର ଚାଲିଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହା ସହ ମନଇଚ୍ଛା ନିର୍ଦ୍ଦେଶ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଏ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ସୁଦ୍ଧା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ଆମ ଚାଷୀମାନଙ୍କ ପ୍ରତି ଏଭଳି ଶୋଷଣ ଲାଗି ରହେ ତାହା ହେଲେ ଜିଲ୍ଲାପାଳ ଓ ଡିଆରସିଏସଙ୍କ କାର୍ଯ୍ୟାଳୟ ଚାଷୀମାନେ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଯଦି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ଖୁବଶୀଘ୍ର ଭିଜିଲାନ୍ସ କାର୍ଯ୍ୟାଳୟ ମଧ୍ୟ ଚାଷୀମାନେ ଘେରାଉ କରି ଉଚିତ୍‌ ଜବାବ ମାଗିବେ ବୋଲି ମିଳିତ ଚାଷୀ ମଞ୍ଚ ପକ୍ଷରୁ କୁହାଯାଇଛି ।

pp
Leave A Reply

Your email address will not be published.

19 − 3 =