ଲାଠିକଟା ଶିଶୁ ମନ୍ଦିରରେ ଉତ୍କଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ଏସ୍‌ବିଆଇ କଲୋନୀ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଆଜି ଧୁମ୍‌ଧାମ୍‌ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫୋଟୋ ଚିତ୍ରରେ ଧୂପ, ଦୀପ, ପୁଷ୍ପ ଅର୍ପଣ ପୂର୍ବକ ପୂଜାର୍ଚନା ପରେ ସାମୁହିକ ଭାବରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ତାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶିଶୁ ମନ୍ଦିରର ଉପଦେଷ୍ଟା ରବିନାରାୟଣ ବାରିକ, ସଭାପତି ରମେଶ ଚନ୍ଦ୍ର ମହାନ୍ତି, ସମାଜସେବୀ ଅମରେନ୍ଦ୍ର ଶର୍ମା ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ପାଳନର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ତା’ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ପ୍ରତିବଦ୍ଧ ହେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ସଭାକାର୍ଯ୍ୟର ପରିସମାପ୍ତି ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଚନା, ବକୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିଶୁ ମନ୍ଦିରର ସମ୍ପାଦକ ଅଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତରୁଲତା ମହାନ୍ତ, ଝୁନୁ ମହାକୁଡ଼, ସସ୍ମିତା ଟପ୍ପୋ, ମମତା ବେହେରା, ଆସିସାନ କିରୋ, ବନ୍ଦିତା ପତି, ଅନିତା ଆଇଣ୍ଡ ପ୍ରମୁଖ ଗୁରୁଜୀ ଗୁରୁମା ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.