csstore

ସଂଗ୍ରାମୀ ଶୂନ୍ୟ ହୋଇଗଲା ବରଗଡ଼ ଜିଲ୍ଲାର ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମ

ବରଗଡ, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ଗ୍ରାମରେ ଜୀବିତ ଥିବା ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନଙ୍କର ୧୦୩ ବର୍ଷ ବୟସରେ ଆଜି ମୃତ୍ୟୁ ହୋଇଯାଇଛି । ଗତ କିଛି ଦିନ ହେଲା ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡ଼ି ଥିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ବରଗଡ଼ ଓ ପରେ ଭୀମସାର ବୁର୍ଲାକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ଚିକିତ୍ସା ପରେ ତାଙ୍କୁ ଘରକୁ ଫେରାଇ ନେଇଥିଲେ । ଆଜି କିନ୍ତୁ ୧୦୩ ବର୍ଷ ବୟସରେ ଶଯ୍ୟାଶାୟୀ ଅବସ୍ଥାରେ ତାଙ୍କର ପୈତୃକ ଗ୍ରାମ ପାଣିମୋରାରେ ତାଙ୍କର ଦେହାନ୍ତ ହୋଇଯାଇଛି । ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଓଡିଶା ସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମାନ ସୁଶାନ୍ତ ସିଂ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ, ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ଉପସ୍ଥିତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟରେ ପାଣିମୋରା ଗାଁମରୁ ୩୨ ଜଣ ଯୁବକ ଇଂରେଜମାନଙ୍କ ବିରୋଧରେ ଝାସ ଦେଇ ଜେଲ କାରାଦଣ୍ଡ ଭୋଗିଥିଲେ । ଗୋଟେ ଗ୍ରାମରୁ ଏତେ ସଂଖ୍ୟାରେ ସ୍ୱାଧୀନତା ସଂଗ୍ରାମୀ ଥିବା ବରଗଡ଼ ଜିଲ୍ଲା ପାଣିମୋରା ଗ୍ରାମ ଆଜି ସାରା ରାଜ୍ୟରେ ସଂଗ୍ରାମୀ ଗ୍ରାମ ନାମରେ ପରିଚିତ ଥିବାବେଳେ ଏହି ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବାକୁ ଯାଇ ପ୍ରତିବର୍ଷ ଅଗଷ୍ଟ ୧୫ରେ ପାଣିମୋରାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ କରାଯାଇଥାଏ । ବିଗତ ଦିନରେ ୩୨ ଜଣ ସଂଗ୍ରାମୀ ମାନଙ୍କ ମଧ୍ୟରୁ ୩୧ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ କେବଳ ଏକ ମାତ୍ର ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ଜୀବିତ ଥିଲେ । ଆଜି କିନ୍ତୁ ସେହି ଏକ ମାତ୍ର ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କ ପରଲୋକ ହେବାପରେ ସଂଗ୍ରାମୀ ଶୂନ୍ୟ ହୋଇପଡ଼ିଛି ସଂଗ୍ରାମୀ ପୀଠ ନାମରେ ପରିଚିତ ଥିବା ପାଣିମୋରା ଗ୍ରାମ ।

jayashree
Leave A Reply

Your email address will not be published.