ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ କନେଷ୍ଟବଲ ସୁଦର୍ଶନ ପ୍ରଧାନ : ତିନୋଟି ସ୍ଥାନର ସମ୍ପତ୍ତି ବିବରଣୀରେ ତିନୋଟି କୋଠାର ପ୍ରମାଣ ବାହାରିଲା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ଥରେ ଖାକିରେ ଦାଗ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଭିଜିଲାନ୍ସ ଟିମ୍ ସୁଦର୍ଶନଙ୍କ ବ୍ରହ୍ମପୁର ଶକ୍ତିନଗରସ୍ଥିତ ୩ ମହଲା ବିଶିଷ୍ଟ କୋଠା, ନିମଖଣ୍ଡି ସ୍ଥିତ ବାସଭବନ, ଭଞ୍ଜନଗର ଗାମୁଣ୍ଡି ସ୍ଥିତ ତାଙ୍କ ପୈତୃକ ଘରେ ଏକକାଳୀନ ଚଢ଼ାଉ ଜାରୀ ରହିଛି । ତାଙ୍କ ବ୍ରହ୍ମପୁର ବାସଭବନ ଘରେ ମାତ୍ର ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ ହୋଇଛି ବୋଲି ଭିଜିଲାନ୍ସ ଏସ୍ପି ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ବ୍ରହ୍ମପୁର ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍ପି, ୨ ଜଣ ଡିଏସ୍ପି ଏବଂ ୫ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ଓଏସ୍ଏପିରେ ଚାକିରି ପାଇ ପ୍ରଥମେ କୋରାପୁଟ ପରେ ସୁଦର୍ଶନ ୨୦୦୫ରୁ ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟ କରୁଛନ୍ତି । ସେ ପ୍ଲଟ୍ ଅବା ଜାଗା ବ୍ୟବସାୟ ସହ ଜଡ଼ିତ ଥିବା ସୂଚନା ମିଳିଛି । ପ୍ରକାଶ ଥାଉକି, କିଛିଦିନ ତଳେ ଭୁବନେଶ୍ୱରରେ ଜଣେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ବହୁ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିବା ବିଷୟ ଚର୍ଚ୍ଚାକୁ ଆସିଥିଲା ।