jayashree

ରାଉରକେଲାରେ ପାଳନ ହେଲା ଜାତୀୟ ପ୍ରେସ୍ ଦିବସ ୨୦୨୧

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ ୨୦୨୧ ଉଦିତନଗର ସ୍ଥିତ ଆଇଟିଡିଏ ହଲଠାରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ସୀମା ଫତିମା ଏକ୍କାଙ୍କ ଅଧ୍ୟକ୍ଷତା ଓ ମହେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର ମୁଖ୍ୟଅତିଥି ଭାବେ ଯୋଗଦେଇ ଖବରକାଗଜ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହ ନିଜ ବକ୍ତବ୍ୟରେ କହିଲେ ଯେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଜ ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଆସୁଛନ୍ତି । ଗଣମାଧ୍ୟମ ସମାଜକୁ ପ୍ରଭାବିତ କରିପାରେ । ସାମ୍ପ୍ରତିକ ସ୍ଥିତିରେ ସୋସିଆଲ୍ ମିଡ଼ିଆ ନିଜର ସାମାଜିକ ଦାୟିତ୍ୱବୋଧକୁ ନିଷ୍ଠାର ସହ ପାଳନ କରିବା ଦରକାର । ଏହି ଅବସରରେ ଖବରକାଗଜ ସଂଗ୍ରାହକ ଗ୍ରୀନିଜ ୱାଲ୍ଡ ରେକର୍ଡର ଅଧିକାରୀ ଶଶାଙ୍କ ଶେଖର ଦାଶଙ୍କୁ ମୁଖ୍ୟଅତିଥି ଭାବେ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଦାଶ ଖବରକାଗଜ ସଂଗ୍ରହ କରିବା ନିଶା ଓ ଏଥିପାଇଁ ବିଶ୍ୱ ସ୍ତରରେ ପାଇଥିବା ସମ୍ବର୍ଦ୍ଧନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଆଲୋଚ୍ୟ ବିଷୟ ‘ମହାମାରୀ ସମୟରେ ଗଣମାଧ୍ୟମ, ଏକ ନୂତନ ଆହ୍ବାନ’ ସଂପର୍କରେ ନାରାୟଣ ପତି, ଜଟାଧାରି ମାଝୀ, ବୈଦ୍ୟନାଥ ମିଶ୍ର, କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ବିବେକ ଦାସ, ନିତେଶ କୁମାର, ଚିତ୍ତରଂଜନ ବ୍ରହ୍ମା, ଉମେଶ ସିଂହ, ସୁଶାନ୍ତ ବେହେରା, ଡଲିରାଣୀ ବ୍ରହ୍ମା, ପବନ ତିୱାରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ପ୍ରେସ୍ କାଉନସିଲର ଦାୟିତ୍ୱବୋଧ ଓ ସମାଜ ପ୍ରତି ପ୍ରତିବଦ୍ଧତା ମୁଖ୍ୟତଃ ଆଲୋଚନାରେ ସ୍ଥାନ ପାଇଥିଲା । ଏହି ଅବସରରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସାମ୍ବାଦିକଙ୍କ ସଂପର୍କୀତ କବିତା ପାଠ କରିଥିଲେ । ଖବର କାଗଜ ପ୍ରଦର୍ଶନୀରେ ଦେଶ ବିଦେଶର ପ୍ରାୟ ୪୦୦କାଗଜ ପ୍ରଦର୍ଶିତ କରାଯାଇଥିଲା । ଶେଷରେ ଅଧ୍ୟକ୍ଷତା କରୁଥିବା ଶ୍ରୀମତୀ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ପଟ୍ଟନାୟକ, ଅଶୋକ ପାତ୍ର, ଅବନୀ ମହାପାତ୍ର, ଅନିଲ ମହାନ୍ତି, ଅମୀୟ ପରିଡା, ନିଗମାନନ୍ଦ ସାହୁ, ଜଗବନ୍ଧୁ ଗାୟନ, ସୁଶାନ୍ତ ଦାଶ, ସୁଜିତ ମହାନ୍ତି, ସନ୍ତୋଷ ନାୟକ, ଦେବ ଲେଙ୍କା, ସଂଜୀବ ନାୟକ, ରାଜେନ୍ଦ୍ର ସାହୁ, ପାଇଲଟ, ଗଣେଶ ସାହୁ, ସୁବାସ ଗୁପ୍ତା, ଶଙ୍କରଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.