jayashree

ପରିତ୍ୟକ୍ତ ପୋଖରୀରୁ କଲେଜ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା : ନିଖୋଜ ଥିବା କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଘରଠାରୁ ମାତ୍ର ୨୦୦ ମିଟର ଦୂର ଏକ ପରିତ୍ୟକ୍ତ ପୋଖରୀରୁ ମିଳିଛି ରକ୍ତାକ୍ତ ମୃତଦେହ। ମୃତା ଛାତ୍ରୀଙ୍କ ବେକ କାଟି ହତ୍ୟା କରାଯାଇଥିବା ସନ୍ଦେହ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟାରୁ ଛାତ୍ରୀ ଜଣକ ନିଖୋଜ ଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଘର ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀରୁ ଉଦ୍ଧାର ହୋଇଛି। ସେ ମାର୍ଶାଘାଇ କଲେଜର +୩ ତୃତୀୟ ବର୍ଷର ଛାତ୍ରୀ ଥିଲେ। ଏକତରଫା ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ସନ୍ଦେହ କରାଯାଉଛି। ତେବେ ହତ୍ୟା ପଛର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି। ଖବର ପାଇ ମାର୍ଶାଘାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘର ନିକଟରେ ଚାରିଟି ସ୍ଥାନରେ ପଡ଼ିଥିବା ରକ୍ତଦାଗ ସମେତ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ଯଦୁପୁର ଗ୍ରାମରେ ଶୋକ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ପୁଲିସର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.