jayashree

ପଟେଲଙ୍କ ଏକତା ମନ୍ତ୍ରରେ ମୁଖରିତ ଖପ୍ରାଖୋଲ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଶନିବାର ଖପ୍ରାଖୋଲରେ ରାଷ୍ଟ୍ରୀୟ ଏକତା ଦିବସ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଯାଇଛି । ଦେଶର ଏକତା, ଅଖଣ୍ଡତା ଓ ସଂହତି ରକ୍ଷା ପାଇଁ ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରି ଖପ୍ରାଖୋଲ ପୋଲିସ ପକ୍ଷରୁ ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ନେତୃତ୍ୱରେ ଏକ ମିନି ମାରାଥନ ଆୟୋଜିତ ହୋଇଥିଲା । ସ୍ଥାନୀୟ ଆଦର୍ଶ ବିଦ୍ୟାଳୟଠାରୁ ପୋଲିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ଏହି ମାରାଥନରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଏବଂ ତହସିଲଦାର ସୌମ୍ୟ ରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ, ସହକାରୀ ଯନ୍ତ୍ରୀ ରାଜକିଶୋର ନାଏକ ଓ ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶ୍ରୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପଦଯାତ୍ରା ହୋଇଥିଲା । ଏଥିରେ ସ୍ଥାନୀୟ କଲେଜ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ବ୍ଲକ କର୍ମଚାରୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ । ସର୍ଦ୍ଦାର ପଟେଲଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଅଦମ୍ୟ ଇଚ୍ଛାଶକ୍ତି ଭାରତକୁ ଏକତାର ସୂତ୍ରରେ ବାନ୍ଧିଥିଲା । ତାଙ୍କର ଏହି ମହାନ ଆଦର୍ଶକୁ ଆଗାମୀ ପିଢ଼ି ମଧ୍ୟରେ ଜାଗ୍ରତ କରିବା ଦିଗରେ ଖପ୍ରାଖୋଲ ପୋଲିସ ଓ ବ୍ଲକ ପ୍ରଶାସନର ଏହି ପ୍ରୟାସ ପ୍ରଶଂସନୀୟ ହୋଇଛି ।

Leave A Reply

Your email address will not be published.