jayashree

ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ : ୩ ମହିଳାଙ୍କ ସମେତ ୪ ଗିରଫ, ପୁଷ୍ପରାଜ ବସ୍‌ ଜବତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଯାତ୍ରୀବାହୀ ବସ୍‌କୁ ଗଞ୍ଜେଇ ଚାଲାଣର ମାଧ୍ୟମ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ସଦର ଥାନା ପୋଲିସ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଗଞ୍ଜେଇ ଚାଲାଣରେ ବ୍ୟବହୃତ ‘ପୁଷ୍ପରାଜ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌କୁ ମଧ୍ୟ ପୋଲିସ ଜବତ କରିଛି । ଅଭିଯୁକ୍ତଙ୍କ ନିକଟରୁ ମୋଟ ୨୯ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଫୁଲବାଣୀ ଅଭିମୁଖେ ଆସୁଥିବା ପୁଷ୍ପରାଜ ନାମକ ଘରୋଇ ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସଦର ଥାନା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ପୋଲିସ ତତ୍ପରତା ପ୍ରକାଶ କରି ସମ୍ପୃକ୍ତ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ବସ୍‌ରୁ ୨୯ କେଜି ଗଞ୍ଜେଇ ଠାବ ହେବା ପରେ ଏହି ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ କାବୁ କରିଥିଲା । ଗିରଫଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି । ଏନେଇ ସଦର ଥାନାରେ କେସ୍‌ ନମ୍ବର ୨୩୨/୨୦୨୬ରେ ମାମଲା ରୁଜୁ କରାଯାଇଛି । ଜବତ ଗଞ୍ଜେଇ ଓ ବସ୍‌କୁ ପୋଲିସ ନିଜ ହେପାଜତକୁ ନେବା ସହ ଗିରଫ ୪ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ଅନୁଯାୟୀ କୋର୍ଟ ଚାଲାଣ କରିଛି । ଯାତ୍ରୀବାହୀ ବସ୍‌ ଭଳି ସାଧାରଣ ପରିବହନ ମାଧ୍ୟମରେ ନିଶାଦ୍ରବ୍ୟ ଚାଲାଣ ହେଉଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଚାଲାଣ ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.