jayashree

ଅଭାବୀ ବିକ୍ରିର ମାଡ଼ : ବାଇଗଣ ଗଛ କାଟିଦେଲେ ଚାଷୀ

ବରଗଡ଼, (ମୁନ୍ନା ସାହୁ) : ଚାଷ କରିଥିଲେ ଭଲ ଦୁଇ ପଇସା ରୋଜଗାର କରିବେ । ପରିବାର ଚଳାଇବା ସହ ଋଣ ଶୁଝିବେ । ହେଲେ ଅମଳ ପରେ ମିଳିଲାନି ଉଚିତ ମୂଲ୍ୟ । ଶେଷରେ ଅଭାବୀ ବିକ୍ରିର ଶିକାର ହୋଇ ନିଜ ହାତରେ ବାଇଗଣ ଗଛ କାଟିଦେବାକୁ ବାଧ୍ୟ ହେଲେ ଚାଷୀ । ଏଭଳି ଦୁଃଖଦ ଘଟଣା ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଦେହେରିପାଲି ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଚାଷୀ ଲିଙ୍ଗରାଜ ଦେହେରି ବାଇଗଣ ଚାଷ କରିଥିଲେ । ଜମି ପ୍ରସ୍ତୁତିଠାରୁ ଆରମ୍ଭ କରି ଚାରା ରୋପଣ, ସାର, କୀଟନାଶକ ଔଷଧ ଓ ଶ୍ରମିକ ଖର୍ଚ୍ଚ ପର୍ଯ୍ୟନ୍ତ ସବୁଥିରେ ଟଙ୍କା ଖର୍ଚ୍ଚ କରିଥିଲେ । ଅନେକ ପରିଶ୍ରମ ପରେ ଫସଲ ଅମଳ ହେଲା । କିନ୍ତୁ ବଜାରରେ ବାଇଗଣର ଉଚିତ ଦର ମିଳିଲା ନାହିଁ । ଅଭାବୀ ବିକ୍ରି ଯୋଗୁଁ ଚାଷ ଖର୍ଚ୍ଚ ମଧ୍ୟ ଉଠାଇବା କଷ୍ଟକର ହୋଇପଡ଼ିଲା । ଫଳରେ କ୍ଷତି ସହି ନିରାଶ ହୋଇ ଶେଷରେ ନିଜ ବାଇଗଣ ଗଛ କାଟିଦେଇଛନ୍ତି ଚାଷୀ ଲିଙ୍ଗରାଜ । ଚାଷୀଙ୍କ ଏହି ଦୁର୍ଦ୍ଦଶା ପୁଣିଥରେ ପରିବା ଚାଷର ବଜାର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ଉତ୍ପାଦନ ପାଇଁ ଚାଷୀ ଦିନରାତି ପରିଶ୍ରମ କରୁଥିବା ବେଳେ ଅମଳ ପରେ ଉଚିତ ମୂଲ୍ୟ ନମିଳିବା ତାଙ୍କୁ ଆର୍ଥିକ ସଙ୍କଟକୁ ଠେଲିଦେଉଛି । ତେଣୁ ପରିବା ଚାଷୀଙ୍କୁ ଅଭାବୀ ବିକ୍ରିରୁ ରକ୍ଷା କରିବା ସହ ଉତ୍ପାଦିତ ପନିପରିବାର ଉଚିତ ମୂଲ୍ୟ ଏବଂ ସୁବ୍ୟବସ୍ଥିତ ବଜାର ସୁବିଧା ଯୋଗାଇଦେବାକୁ ଦାବି ହେଉଛି ।

Leave A Reply

Your email address will not be published.