jayashree

ବନ୍ୟା ପରେ ବାତ୍ୟା ଅର୍ଣ୍ଣବର ଭୟ : ଇନ୍ଦ୍ରାବତୀରୁ ଛଡ଼ା ହେଲା ୨୭୫୩କୁମେକ୍ସ ପାଣି

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଳାର ବିକାଶ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପର ଅତୁଳନୀୟ ଅବଦାନ ରହି ଆସିଥିବା ବେଳେ ପ୍ରକଳ୍ପର ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଜନସାଧାରଣ ସବୁବେଳେ ସଚେତନ ରହିଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ଗତ ସେପ୍ଟେମ୍ବର ମାସର ପ୍ରଥମ ପର୍ଯ୍ୟାୟରେ ୨୨୪୪କୁମେକ୍ସ ବନ୍ୟା ଜଳ ଇନ୍ଦ୍ରାବତୀ ନଦୀ ଗର୍ଭକୁ ଛାଡ଼ି ଏକ ବନ୍ୟା ପରିସ୍ଥିତି ସୃଷ୍ଟି କରାଯାଇଥିବା ଘଟଣାକୁ ନେଇ ଏବେବି ଲୋକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପରବର୍ତ୍ତୀ ବାତ୍ୟା ଅର୍ଣ୍ଣବର ଆଶଙ୍କାରେ ପୁଣି ଥରେ ୩୯୬କୁମେକ୍ସ ପାଣି ଇନ୍ଦ୍ରାବତୀ ନଦୀ ଗର୍ଭକୁ ଛଡ଼ା ଯିବା ଘଟଣାକୁ ଲୋକେ ସମୟୋପଯୋଗୀ ବ୍ୟବସ୍ଥା ନୁହେଁ ବୋଲି ଆଲୋଚନା କରୁଛନ୍ତି । ଗତ ସେପ୍ଟେମ୍ବର ୨୧ତାରିଖ ଦିନ ଇନ୍ଦ୍ରାବତୀ ଜଳଭଣ୍ଡାର ୬୪୦.୧୫ମିଟରରେ ରହିଥିବା ବେଳେ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ଜଳ ନିଷ୍କାସନ ଆରମ୍ଭ କରାଗଲା । ଏହି ପର୍ଯ୍ୟାୟରେ ମୋଟ ୨୨୪୪କୁମେକ୍ସ ପାଣି ନଦୀ ଗର୍ଭକୁ ଛଡ଼ା ଯାଇଥିବା ବେଳେ ୨୬ତାରିଖ ଦିନ ଏକାସାଙ୍ଗରେ ପାଞ୍ଚଟି ଗେଟ ଖୋଲି ୧୧୧୭କୁମେକ୍ସ ପାଣି ଛଡ଼ା ଯିବା ଫଳରେ ନବରଙ୍ଗପୁର ଅଚଳ ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୁଣି ଅକ୍ଟୋବର ଚାରି ପାଞ୍ଚ ଦୁଇଦିନ ଧରି ୧୧୩କୁମେକ୍ସ ଗଚ୍ଛିତ ଜଳକୁ ନଦୀ ଗର୍ଭକୁ ଛଡ଼ାଗଲା । ତୃତୀୟ ଥର ପାଇଁ ଇନ୍ଦ୍ରାବତୀର ସର୍ବୋଚ୍ଚ ସୀମା ୬୪୨ମିଟର ଥିବା ସତ୍ତ୍ୱେ ଗତ ୨୭ତାରିଖ ଦିନ ବାତ୍ୟା ଅର୍ଣ୍ଣବର ସ୍ଥାନୀୟ ପ୍ରଭାବକୁ ଆକଳନ ନକରି ବିଭାଗୀୟ ଯନ୍ତ୍ରୀମାନେ ୬୩୯.୨୨ ମିଟର ପାଣି ଗଚ୍ଛିତ ଥିବା ସତ୍ତ୍ୱେ ଜଳଭଣ୍ଡାରର ଦୁଇଟି ଗେଟ ଖୋଲି ୩୯୬କୁମେକ୍ସ ପାଣି ନଦୀ ଗର୍ଭକୁ ଛାଡ଼ି ଦେଇଥିଲେ । ଏସବୁ ସତ୍ତ୍ୱେ ଇନ୍ଦ୍ରାବତୀ ଶକ୍ତି ଗୃହରୁ ପ୍ରତ୍ୟହ ୬୦୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ଅନବରତ ଭାବରେ ଚାଲୁ ରହିଥିବା ଦେଖିବାକୁ ମିଳିଛି । ଏକ ଆକଳନରୁ ଜଣାପଡ଼ିଛି ଯେ, ଜଳଭଣ୍ଡାରରୁ ମୋଟ ୨୭୫୩କୁମେକ୍ସ ପାଣି ନଷ୍ଟ କରାଯାଇଥିବା ବେଳେ ତଦ୍ ଅନୁସାରେ ୮୨୫୯ମେଗାୱାଟ ବିଜୁଳି ଉତ୍ପାଦନ ନେଇ କ୍ଷତି ସହିବାକୁ ଥିବା ଆଲୋଚନା ହେଉଛି । ପରବର୍ତ୍ତୀ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ବାସ୍ତବତା ପ୍ରତି ସଚେତନ ରହି ବିଭାଗୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.