
- ଜୟପାଟଣା ଅଞ୍ଚଳରେ ୨୦ମିଲି ମିଟର ccବର୍ଷା
ଜୟପାଟଣା, (ଶେଷଦେବ ବେହେରା) : ବାତ୍ୟା ଅର୍ଣ୍ଣବ ପାଇଁ ପ୍ରଶାସନିକ ପ୍ରସ୍ତୁତି ଓ ପ୍ରଚାର ପ୍ରସାର ସାଧାରଣ ଜନତାଙ୍କୁ ଏକ ଅହେତୁକ ଆଶଙ୍କା ମଧ୍ୟରେ ଦୁଇଦିନ ବିତାଇବାକୁ ପଡ଼ିଲା । ମହାବାତ୍ୟାକୁ ନଜରରେ ରଖି ବର୍ତ୍ତମାନ ପାଇଁ ସରକାରଙ୍କ ପ୍ରସ୍ତୁତି ଜୋରଦାର ଥିବାବେଳେ ବାତ୍ୟା ଅର୍ଣ୍ଣବ କିନ୍ତୁ ଜୟପାଟଣା ଅଞ୍ଚଳରେ କେବଳ ୨୦ମିଲି ମିଟର ବର୍ଷା ଦେଇ ଅପସରି ଗଲା ସତ କିନ୍ତୁ ଚାଷ ଉପରେ ଅନେକ ଛାପ ଛାଡ଼ି ଚାଲିଗଲା । ଆସନ୍ନ ବାତ୍ୟା କୁ ନେଇ ସରକାରୀ ସ୍ତରରେ ଅନେକ ପଦକ୍ଷେପ ସହ ବନ୍ୟା ଆଶ୍ରୟସ୍ଥଳୀ, ରନ୍ଧାଖାଦ୍ୟ, ଗମନାଗମନ, ବିଜୁଳି ସଙ୍କଟ, ଶୁଦ୍ଧ ପାନୀୟଜଳ, ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟାପକ ବ୍ୟବସ୍ଥା ମାନ ଗ୍ରହଣ କରଯାଇଥିଲା । କିନ୍ତୁ ସାମାନ୍ୟ ବର୍ଷାରେ ଉଜୁଡି ଯାଇଥିବା ପନିପରିବା ଚାଷୀ ଓ ଧାନ ଚାଷୀଙ୍କ ସହାୟତା କେବେ ବୋଲି ପ୍ରଶ୍ନ ଉଠୁଛି । ସୂଚନାରୁ ପ୍ରକାଶ ଯେ, ଗତ ବନ୍ୟାରେ ଜୟପାଟଣା ବ୍ଲକର ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥାନ କରି ଆସିଥିବା ଭିତର ପଣ୍ଡି ଗ୍ରାମ ଜଳ ବନ୍ଦୀ ହୋଇ ଉଠିଥିବା ବେଳେ ସେଠାକାର ଲୋକଙ୍କୁ ପ୍ରଶାସନ ଓ ଅଗ୍ନିଶମ ବିଭାଗର ସହାୟତାରେ ପଣ୍ଡି ଗ୍ରାମରେ ଆଶ୍ରୟ ଦିଆଯାଇଥିଲା । ଏବର ଅର୍ଣ୍ଣବ ସମୟରେ ମଧ୍ୟ ସଂପୃକ୍ତ ଗ୍ରାମର ୫୦ଜଣଙ୍କୁ ବନ୍ୟା ଆଶଙ୍କା ଦେଖି ପଣ୍ଡି ଗ୍ରାମରେ ରନ୍ଧା ଖାଦ୍ୟ ସହ ଆଶ୍ରୟ ଦିଆଯାଇଥିଲା । ପ୍ରଶାସନ କେତୋଟି ଆଖିଦୃଶିଆ ପଦକ୍ଷେପ ନେଇଥିବା ବେଳେ ଶହ ଶହ ବର୍ଷ ଧରି ମୌଳିକ ସୁବିଧାରୁ ବଂଚିତ ତଥା ଦୁର୍ଗମ ପାହାଡ ଉପରେ ଗମନା ଗମନର ସୁବିଧା ନ ପାଇ ବର୍ଷ ବର୍ଷ ଧରି ପଡି ରହିଥିବା ନଳାଚୁଆଁ, ଡଙ୍ଗରିଗୁଡ଼ା, ଚଞ୍ଚରାଗୁଡ଼ା, ଭାଟିପାସ, ବାଙ୍ଗଟିସାହାଜ୍, କରାଘାଟି, ଦାବ୍ରିଘାଟି, କରଲାକୋଟ, ଟେଣ୍ଡକାଚୂଆ, ପଟାକୁସୁମୀ ଆଦି ଅଚଳ ମାନଙ୍କୁ ସୁରକ୍ଷା ବଳୟ ମଧ୍ୟକୁ ଆଣିବା ପାଇଁ ସଂପୂର୍ଣ୍ଣ ଭୁଲିଗଲେ ବୋଲି ଆଲୋଚନା ହେଉଛି । ସବୁବେଳେ ଜନନୀ ଯନ୍ତ୍ରଣାର ଶିକାର ହୋଇ ଆସୁଥିବା ନଳାଚୁଆଁ, କରାଘାଟି ଆଦି ଅଞ୍ଚଳର ଗର୍ଭବତୀ ମାନଙ୍କ ପାଇଁ ବ୍ୟବସ୍ଥାଗତ ପଦକ୍ଷେପ ନିଆଯାଇ ନ ଥିବାରୁ ସେମାନଙ୍କ ମଧ୍ୟରେ ଅନେକ ଆଶଙ୍କା ମୁଣ୍ଡ ଟେକି ଥିବାର ସୁଚନାମାନ ହସ୍ତଗତ ହୋଇଛି । ପ୍ରକୃତିର କରାଳ ରୂପରୁ ମୁକୁଳି ଥିବା ଚାଷୀଙ୍କ କ୍ଷୟକ୍ଷତି ଆକଳନ ସହ ବର୍ଷ ବର୍ଷ ଧରି ପାହାଡ ଉପରେ ଏକ ସାଙ୍କେତିକ ଜୀବନ ସାଙ୍ଗକୁ ଜନନୀ ଯନ୍ତ୍ରଣା ଭୋଗି ଆସୁଥିବା ବନବାସୀଙ୍କ ଜୀବନ ଯାତ୍ରାକୁ ନେଇ ଏକ ସ୍ଥାୟୀ ପ୍ରତିକାରର ଆବଶ୍ୟକତାକୁ ଗୁରୁତ୍ଵ ଦେବା ପାଇଁ ଦାବୀ ହେଉଛି ।