
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବଡ଼ସାହି ଅଞ୍ଚଳରେ ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ଜଣେ ନବଜାତ ଶିଶୁର ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଶିଶୁଟିର ମୃତଦେହ ଏଠାକୁ କିପରି ଆସିଲା, ତାହାକୁ ନେଇ ରହସ୍ୟ ଘନୀଭୂତ ହୋଇଛି । ସୂଚନା ଅନୁଯାୟୀ, ବଡ଼ସାହିର ରାମଚନ୍ଦ୍ର ଚାନ୍ଦ ଏକ ନୂତନ ଘର ନିର୍ମାଣ କରୁଛନ୍ତି । ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ରବିବାର ସକାଳେ ପାଗ ଶୁଖିଲା ହେବାରୁ ଘର ମାଲିକ ଶ୍ରମିକମାନଙ୍କୁ ନେଇ ନିର୍ମାଣସ୍ଥଳରେ ପହଞ୍ଚିଥିଲେ । ସେଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ବର୍ଷାଜଳ ଭର୍ତ୍ତି ହୋଇଥିବା ବେଳେ ପାଣି ମଧ୍ୟରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ଘଟଣା ସମ୍ପର୍କରେ ତୁମୁଡ଼ିବନ୍ଧ ଥାନାକୁ ସୂଚନା ଦିଆଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ନବଜାତ ଶିଶୁର ମୃତଦେହ ନିର୍ମାଣାଧୀନ ଟାଙ୍କି ମଧ୍ୟକୁ କିପରି ଆସିଲା, ଏହା ପଛରେ କାହାର ହାତ ରହିଛି କି ନାହିଁ ଏବଂ ଘଟଣାଟି କେବେ ଘଟିଛି—ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ । ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି । ଏଭଳି ସମ୍ବେଦନଶୀଳ ଘଟଣା ତୁମୁଡ଼ିବନ୍ଧ ଅଞ୍ଚଳରେ ପ୍ରଥମ ଥର ପାଇଁ ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ଚିନ୍ତା ପ୍ରକାଶ ପାଇଛି । ଘଟଣାର ସଠିକ୍ ତଦନ୍ତ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।