
- “ଶିକ୍ଷା ସହ ଚରିତ୍ର ଗଠନ ହିଁ ସଫଳତାର ମୂଳମନ୍ତ୍ର”
ବଲାଙ୍ଗିର/ପୁଇଁତଲା, (କେପିଏନ୍ଏସ୍) : ପୁଇଁତଲା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି), ମହିମୁଣ୍ଡାରେ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଖଟୁଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହିମୁଣ୍ଡା ସରପଞ୍ଚ ରଞ୍ଜିତା ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ବିଦ୍ୟାଳୟ କେବଳ ପାଠପଢ଼ାର ସ୍ଥାନ ନୁହେଁ ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ଏକ ପବିତ୍ର ମନ୍ଦିର । ଶିକ୍ଷା ସହିତ ଶୃଙ୍ଖଳା, ମାନବିକତା ଓ ଚରିତ୍ର ଗଠନକୁ ଗୁରୁତ୍ୱ ଦେଲେ ଛାତ୍ରଛାତ୍ରୀ ଜୀବନରେ ନିଶ୍ଚୟ ସଫଳ ହେବେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଶ୍ରୀମତୀ ଭୋଇ ନିଜ ବକ୍ତବ୍ୟରେ ମହିମୁଣ୍ଡା ଓଏଭି ଆମ ଅଞ୍ଚଳର ଗର୍ବ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଭବିଷ୍ୟତରେ ଅଞ୍ଚଳର ନାମ ଉଜ୍ଜ୍ୱଳ କରନ୍ତୁ ଏହା ହିଁ ଆମର ଆଶା ବୋଲି କହିଥିଲେ । ସଭାପତି ଶ୍ରୀ ଖଟୁଆ ବିଦ୍ୟାଳୟର ୧୨ ବର୍ଷର ଯାତ୍ରା ଓ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରି କହିଥିଲେ, ବିଦ୍ୟାଳୟର ଏହି ଯାତ୍ରାରେ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମ୍ମିଳିତ ପ୍ରୟାସ ହିଁ ଆମର ସବୁଠାରୁ ବଡ଼ ଶକ୍ତି । ଆଗାମୀ ଦିନରେ ଓଏଭି ମହିମୁଣ୍ଡାକୁ ଆହୁରି ଉଚ୍ଚତାକୁ ନେବା ପାଇଁ ସମସ୍ତେ ଏକାଠି କାମ କରିବା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ଦ୍ୱୟ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ପ୍ରତ୍ୟାଶା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ସକ୍ରୀୟ ସହଯୋଗ କରିଥିଲେ ।