jayashree

ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କଣ୍ଟେନର

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦାରିଙ୍ଗବାଡ଼ିରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ଏନ୍‌ଏଚ୍‌-୫୯ର ଗାଜଲବାଡ଼ି ଘାଟି ପୁଣି ଥରେ ଦୁର୍ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି । ଘାଟିର ଅତ୍ୟନ୍ତ ଅଣଓସାରିଆ ଓ ତୀକ୍ଷ୍ଣ ବୁଲାଣିରେ ଏକ ବଡ଼ କଣ୍ଟେନର ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ଯାଇଛି । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କଣ୍ଟେନରରେ ଥିବା ଚାଳକ ଓ ଅନ୍ୟ କର୍ମଚାରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଦିଲ୍ଲୀରୁ ମାଲ୍‌ ନେଇ ଏକ ବଡ଼ କଣ୍ଟେନର ଟ୍ରକ୍‌ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଦେଇ ବାଲିଗୁଡ଼ା, ଦାରିଙ୍ଗବାଡ଼ି ହୋଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଗାଜଲବାଡ଼ି ଘାଟିର ୧୩ ନମ୍ବର ବୁଲାଣି ନିକଟରେ ହଠାତ୍‌ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼କୁ ଚାଲିଯାଇ କ୍ୟାଣ୍ଟିନ ଭିତରକୁ ପଶିଥିଲା । ଦୁର୍ଘଟଣା ପରେ ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଯାତ୍ରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚାଳକ ଓ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିବା ବେଳେ ଚିକିତ୍ସା ପାଇଁ ସୋରଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି । ଗାଜଲବାଡ଼ି ଘାଟି ରାସ୍ତାର ଅତ୍ୟଧିକ ତୀକ୍ଷ୍ଣ ବୁଲାଣି ଓ ଅଣଓସାରିଆ ରାସ୍ତା ଭାରୀଯାନ ଚଳାଚଳ ପାଇଁ ବିପଜ୍ଜନକ ହୋଇପଡ଼ିଛି । ବିଶେଷକରି ବାହାର ରାଜ୍ୟରୁ ଆସୁଥିବା ଭାରୀଯାନ ଚାଳକମାନେ ଘାଟିର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ନଥିବାରୁ ବୁଲାଣିରେ ଗାଡ଼ି ନିୟନ୍ତ୍ରଣ କରିବା କଷ୍ଟକର ହେଉଥିବା ଅଭିଯୋଗ ରହିଛି । ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ବାହାର ରାଜ୍ୟର ଅନେକ ଭାରୀଯାନ ଚାଳକ ଗୁଗଲ୍‌ ମ୍ୟାପ୍‌ ଉପରେ ଅତ୍ୟଧିକ ନିର୍ଭର କରି ଏହି ଘାଟି ରାସ୍ତାରେ ପ୍ରବେଶ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମ୍ୟାପ୍‌ରେ ରାସ୍ତା ଦେଖାଯାଉଥିଲେ ମଧ୍ୟ ଏହାର ତୀକ୍ଷ୍ଣ ବୁଲାଣି, ରାସ୍ତାର ପ୍ରସ୍ଥ ଓ ବିପଦପୂର୍ଣ୍ଣ ଭୌଗୋଳିକ ସ୍ଥିତି ସମ୍ପର୍କରେ ଚାଳକମାନେ ପୂର୍ବରୁ ଜାଣିପାରୁନଥିବାରୁ ସମସ୍ୟା ଆହୁରି ଜଟିଳ ହେଉଛି । ଗାଜଲବାଡ଼ି ଘାଟି ରାସ୍ତାର ସମ୍ପ୍ରସାରଣ ଓ ସରଳୀକରଣ ପାଇଁ ୭୪୨ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ଏବଂ ଆବଶ୍ୟକ ଫରେଷ୍ଟ କ୍ଲିୟାରାନ୍ସ ପ୍ରକ୍ରିୟା ଶେଷ ହୋଇଥିବା କୁହାଯାଉଛି । ତେବେ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବାରୁ ରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ ହୋଇପାରୁନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗୋଟିଏ ସପ୍ତାହ ମଧ୍ୟରେ ଘାଟିରେ ଦୁଇଟି ଦୁର୍ଘଟଣା ଘଟିବା ପରେ ଭାରୀଯାନ ଚଳାଚଳ ଉପରେ ରହିଥିବା କଟକଣା କେତେଦୂର କାର୍ଯ୍ୟକାରୀ ହେଉଛି, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଦୁର୍ଘଟଣା ରୋକିବା ପାଇଁ ଘାଟିରେ ଆବଶ୍ୟକ ସତର୍କତାମୂଳକ ସୂଚନାଫଳକ, ଗତି ନିୟନ୍ତ୍ରଣ ବ୍ୟବସ୍ଥା ଓ ଭାରୀଯାନ ଚଳାଚଳ ଉପରେ କଡ଼ା ନଜର ସହିତ ଦୀର୍ଘମିଆଦୀ ରାସ୍ତା ସମ୍ପ୍ରସାରଣ କାମକୁ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି । ଗାଜଲବାଡ଼ି ଘାଟିରେ ଦୁର୍ଘଟଣାର ପୁନରାବୃତ୍ତି ଏବେ କେବଳ ଏକ ଦୁର୍ଘଟଣାର ଘଟଣା ନୁହେଁ, ବରଂ ଏହି ବିପଜ୍ଜନକ ରାସ୍ତାର ସୁରକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମି ବିକାଶ ପ୍ରତି ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

Leave A Reply

Your email address will not be published.