jayashree

ବରଗଡ଼ ବ୍ଲକ କାର୍ଯ୍ୟାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବରଗଡ଼ ବ୍ଲକ କାର୍ଯ୍ୟାଳୟଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ତଥା ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଥିଲେ । ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ଏବଂ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ବ୍ଲକ ମାଧ୍ୟମରେ ପରିଚାଳିତ ହେଉଛି । ଯୋଗ୍ୟ ହିତାଧିକାରୀଙ୍କ ଚୟନ ଏବଂ ଯୋଜନାଗୁଡ଼ିକର ସଠିକ୍ ରୂପାୟନର ଦାୟିତ୍ୱ ମୁଖ୍ୟତଃ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ନ୍ୟସ୍ତ ରହିଛି । ସରକାରଙ୍କ ବିଭିନ୍ନ ସଫଳ ଯୋଜନାର ସୁଫଳ ଯେପରି ବିନା କୌଣସି ରାଜନୈତିକ ହସ୍ତକ୍ଷେପରେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ବ୍ଲକ କର୍ମଚାରୀମାନେ ନିଷ୍ଠା ଓ ନିରପେକ୍ଷତାର ସହିତ କାର୍ଯ୍ୟ କରିବାକୁ ସାଂସଦ ଶ୍ରୀ ପୁରୋହିତ ପରାମର୍ଶ ଦେଇଥିଲେ । ଏଥିସହିତ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ସହିତ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବା ଉପରେ ସାଂସଦ ଗୁରୁତ୍ୱାରୋପ କରିଥିଲେ । ଯୋଜନାଗୁଡ଼ିକର କାର୍ଯ୍ୟକାରୀ ରୂପାୟନ ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବା ହିଁ ସରକାରୀ ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ସମୀକ୍ଷା ବୈଠକରେ ବରଗଡ଼ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାର୍ଷିୟସ ଡୁଙ୍ଗଡୁଙ୍ଗ, ବରଗଡ଼ ତହସିଲଦାର ଶ୍ରୀମତୀ ସୋନାଲି ପଟ୍ଟନାୟକ, ସାଂସଦଙ୍କ ବରଗଡ଼ ଉପଖଣ୍ଡ ପ୍ରତିନିଧି ଲିପ୍ସିତ ମିଶ୍ର, ବରଗଡ଼ ବ୍ଲକ ପ୍ରତିନିଧି ଯଶୋବନ୍ତ ମେହେରଙ୍କ ସମେତ ବରଗଡ଼ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ବୈଠକରେ ବ୍ଲକ ଶିକ୍ଷା ବିଭାଗ, ପଶୁ ସମ୍ପଦ ବିଭାଗ, ବନ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ସମନ୍ୱିତ ଶିଶୁ ବିକାଶ ବିଭାଗ, ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଯୋଗାଣ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଯୋଗଦେଇ ବିଭିନ୍ନ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.