
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦଙ୍କ ସଭାପତିତ୍ୱ ତଥା ପଦ୍ମପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଏବଂ ବରଗଡ଼ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ମହା ବିଦ୍ୟାଳୟସ୍ଥ ନୂତନ ସମ୍ମେଳନ କକ୍ଷରେ ଏକ ବ୍ଲକ ସ୍ତରୀୟ ‘ବେଟି ବଚାଓ ବେଟି ପଢ଼ାଓ’ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ସହକାରୀ ଜିଲ୍ଲାପାଳ ହେତୁରାମ ବିଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀଜାତିର ତ୍ୟାଗ, ସାମର୍ଥ୍ୟ ଓ ସମାଜ ଗଠନରେ ଝିଅମାନଙ୍କ ଅତୁଳନୀୟ ଭୂମିକା ଉପରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ପ୍ରଦାନ କରିଥିଲେ । ପଦ୍ମପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଗୋଲି ରାଉତ ସଭାର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ମୋନାଲିସା ସ୍ୱାଇଁ କନ୍ୟା ସନ୍ତାନର ଶିକ୍ଷା, ସୁରକ୍ଷା ଓ ସମାନ ଅଧିକାର ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ସାଧାରଣ ଜ୍ଞାନ ଓ ପୋଷ୍ଟର ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ଡ. ସରୋଜ କୁମାର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଡ. ମମତାମୟୀ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ନିର୍ମଳ କୁମ୍ଭାର ଓ ଭେଙ୍କଟେଶ୍ୱର ମେହେର କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ସମ୍ମିଳନୀରେ ସୁପରଭାଇଜର ଯଶୋବନ୍ତୀ ସୁନା, ପ୍ରାଚୀ ମିଶ୍ର, ରୋଜି ଭୋଇ, ରେଣୁକା ସାହୁ, ସୁକାନ୍ତୀ ବରିହା, ଅଙ୍ଗନବାଡ଼ି କର୍ମୀ ପ୍ରତିଭା ଦୋରାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କନ୍ୟା ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।