
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବ୍ଲକର ଚନ୍ଦନଭାଟି ସ୍ଥିତ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ସୁରକ୍ଷା ଓ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ଏନ୍ଏସ୍ଏସ୍ର ପ୍ରୋଗ୍ରାମ ଅଫିସର ୟୁଧିଷ୍ଠିର ପଧାନ ସଭା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଉପଲବ୍ଧ ସହାୟତା ବ୍ୟବସ୍ଥା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଜଣାଇବା ସହିତ କିଶୋର ନ୍ୟାୟ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫, ବାଲ୍ୟ ବିବାହ ନିଷେଧ, ମିଶନ ବାତ୍ସଲ୍ୟ, ଚାଇଲ୍ଡ ହେଲ୍ପଲାଇନ୍ – ୧୦୯୮ ଏବଂ ଆଇନଗତ ଭାବେ ଶିଶୁ ଦତ୍ତକ ଗ୍ରହଣର ପ୍ରକ୍ରିୟା ଓ ବିଧିବିଧାନ ସମ୍ପର୍କରେ ବିସ୍ତୃତ ସଚେତନତା ପ୍ରଦାନ କରିଥିଲେ । ସଭାରେ ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ କହିଲେ ଆଶୀର୍ବାଦ ଯୋଜନା, ଗ୍ରୀନ ପାସେଜ ସାର୍ଟିଫିକେଟ, ପୃଷ୍ଠପୋଷକତା ସହାୟତା ରାଶି, ଯଶୋଦା ଯୋଜନା, ପୋଷ୍ୟ ସନ୍ତାନ ଗ୍ରହଣ ଆଇନ୍ ଉପରେ ସଚେତନତା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଅଧିକାର, କର୍ତ୍ତବ୍ୟ ଓ ଦାୟିତ୍ୱ, ଶିଶୁ ସୁରକ୍ଷା ବ୍ୟବସ୍ଥା, ବାଲ୍ୟ ବିବାହର ପ୍ରତିରୋଧ, ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ସମ୍ପର୍କରେ ରିପୋର୍ଟ/ସୂଚନା ପ୍ରଦାନ ବ୍ୟବସ୍ଥା ଏବଂ ପ୍ରତ୍ୟେକ ଶିଶୁ ପାଇଁ ଏକ ନିରାପଦ, ସୁସ୍ଥ ଓ ସହାୟକ ପରିବେଶ ସୃଷ୍ଟି କରିବାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଇତିହାସ ଅଧ୍ୟାପକ ତଥା ରେଡକ୍ରସ ପରାମର୍ଶଦାତା ପ୍ରଦୀପ୍ତ ବଲ୍ଲଭ ପାଣିଗ୍ରାହୀ, ଶିକ୍ଷା ବିଭାଗ ଅଧ୍ୟାପକ ଚନ୍ଦ୍ରଭାନୁ ମିର୍ଦ୍ଧା, ଅଧ୍ୟାପିକା ଗାର୍ଗୀ ମିଶ୍ର, ବର୍ଷା ପଟେଲ, ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ବାଳମୁକୁନ୍ଦ ଭିତିରିଆ, ଚାଇଲ୍ଡ ହେଲ୍ପ ଲାଇନ୍ର ଶ୍ରଦ୍ଧାଞ୍ଜଳି ସିଂ, ଶୁଭମ୍ ଜେନା, ବସନ୍ତ ହରପାଲ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଜ୍ୟୋସ୍ନାମୟୀ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।