jayashree

ଟିଟିଲାଗଡ ପୋଲିସ ପକ୍ଷରୁ ଥାନା ପରିସରରେ ସହରର ସମସ୍ତ ଗଣେଶ ପୂଜା କମିଟି ସଦସ୍ୟଙ୍କୁ ନେଇ ଶାନ୍ତି ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା। ଏଥିପାଇଁ ଟିଟିଲାଗଡ଼ ସହରର ବିଭିନ୍ନ ପଡ଼ାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ନେଇ ତତ୍ପର ହୋଇଛି ପୋଲିସ ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ ଟିଟିଲାଗଡ଼ ଥାନା ପରିସରରେ ସହରର ସମସ୍ତ ଗଣେଶ ପୂଜା କମିଟିକୁ ନେଇ ଅନୁଷ୍ଠିତ ହୋଇଛି ଶାନ୍ତି ଓ ସମନ୍ୱୟ ବୈଠକ । ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଏବଂ ଥାନାଧିକାରୀ ମନୋଜ ମୁଣ୍ଡାଙ୍କ ସଂଯୋଜନାରେ ଏହି ବୈଠକ ହୋଇଥିଲା । ଗଣେଶ ପୂଜା ସମୟରେ ଶାନ୍ତି, ଆଇନଶୃଙ୍ଖଳା ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବାକୁ ପୂଜା କମିଟିଗୁଡ଼ିକୁ ପୋଲିସ ପକ୍ଷରୁ ଜାରି ୧୫ଟି ନିର୍ଦ୍ଦେଶାବଳୀ ସମ୍ପର୍କରେ ଅବଗତ କରାଯାଇଥିଲା । ଶୋଭାଯାତ୍ରା ପାଇଁ ଅନୁମତି ଓ ଲାଇସେନ୍ସ ନେବା, ଲାଇସେନ୍ସରେ ଉଲ୍ଲେଖ ଥିବା ରୁଟ୍ ଓ ସମୟକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ନିଜ ଇଚ୍ଛାରେ ରୁଟ୍ କିମ୍ବା ସମୟ ପରିବର୍ତ୍ତନ ନକରିବାକୁ କୁହାଯାଇଛି । ଏହାସହ ଶୋଭାଯାତ୍ରା ସମୟରେ ଟ୍ରାଫିକ୍ ବ୍ୟବସ୍ଥା ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କମିଟିଗୁଡ଼ିକୁ କୁହାଯାଇଛି। ଉଚ୍ଚଶବ୍ଦର ଡିଜେ, ହସ୍ପିଟାଲ ଓ ସମ୍ବେଦନଶୀଳ ଅଞ୍ଚଳରେ ଡିଜେ କିମ୍ବା ବାଣ ଫୁଟାଇବା ଉପରେ ମଧ୍ୟ ରୋକ୍ ଲଗାଯାଇଛି । ସେହିପରି ଅସ୍ତ୍ରଶସ୍ତ୍ର, ଟୟ ଗନ୍, ଲାଠି କିମ୍ବା କୌଣସି ଧାତବ ଅସ୍ତ୍ର ଶୋଭାଯାତ୍ରାରେ ନେବା, ମଦ୍ୟପାନ କରିବା ଏବଂ ଉତ୍ତେଜନାମୂଳକ ଗୀତ କିମ୍ବା ସ୍ଲୋଗାନ ଦେବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କୌଣସି ବିବାଦ, ଗୁଜବ କିମ୍ବା ଅଶାନ୍ତିର ପରିସ୍ଥିତି ଉପୁଜିଲେ ନିଜ ହାତରେ ଆଇନ ନନେଇ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଶାନ୍ତିପୂର୍ଣ୍ଣ ପରିବେଶରେ ଗଣେଶ ପୂଜା ଓ ବିସର୍ଜନ ଶୋଭାଯାତ୍ରା ସମ୍ପନ୍ନ କରିବା ପାଇଁ ପୋଲିସର ସମସ୍ତ ନିର୍ଦ୍ଦେଶକୁ ପାଳନ କରିବାକୁ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟମାନଙ୍କୁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.