
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତୀକ୍ଷିତ ସପ୍ତାହନ୍ତ ଛୁଟି ଓ ପିଏଲଆଇରେ ଭେଦଭାବ ଦୂର କରିବା ଦାବିରେ ଆଜି ଦେଶବ୍ୟାପୀ ଏକଦିନିଆ କାର୍ଯ୍ୟବନ୍ଦ ଡାକରା ଦେଇଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । କର୍ମଚାରୀଙ୍କ ପାଇଁ ସପ୍ତାହନ୍ତ ଛୁଟି ଲାଗୁ କରିବା ସହ ପିଏଲ୍ଆଇରେ ଥିବା ଭେଦଭାବ ଦୂର କରିବା ନେଇ ସଂଘ ଦାବି କରିଛି । ଏହାସହ ଆସନ୍ତା ୨୭, ୨୮ ଓ ୨୯ ତାରିଖରେ ମଧ୍ୟ ବ୍ୟାଙ୍କ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । ସରକାର ଦାବି ପ୍ରତି କର୍ଣ୍ଣପାତ ନକଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି । ତେବେ ପର୍ବପର୍ବାଣୀ ସମୟରେ ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ବିକଳ୍ପ ବ୍ୟବସ୍ଥା କରାଯାଇଥିବା ନେଇ ସଂଘ ପକ୍ଷରୁ କୁହାଯାଇଛି ।