
- ଜିଲ୍ଲାର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ : ବିଧାୟକ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ପର୍ଯ୍ୟବେକ୍ଷଣ କମିଟିର ଅଧକ୍ଷ ଇଂ ରଘୁନାଥ ଜଗଦଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାର ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ ନିହାତି ଜରୁରୀ । ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ । ବିଧାୟକ ଶ୍ରୀ ଜଗଦଲା ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ସାମୂହିକ ଭାବେ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କାର୍ଯ୍ୟ କରିବାକୁ କହିଥିଲେ । ଭୁବନେଶ୍ୱରସ୍ଥିତ ବିଭାଗକୁ ପ୍ରସ୍ତାବ ପଠାଇବା ପୂର୍ବରୁ ଏ ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଲ୍ଲାରେ ପ୍ରାୟ ୯୪ ପ୍ରତିଶତ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଥିଲା । ଅତ୍ୟନ୍ତ ଗୁରୁତର ରୋଗରେ ପୀଡ଼ିତ, ଦିବ୍ୟାଙ୍ଗ ଓ ବିଧବା ମହିଳାଙ୍କୁ ଲକ୍ଷ୍ୟ କରି ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ଥିବା ଅପେକ୍ଷା ତାଲିକା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବିଭିନ୍ନ ଗ୍ରାମରେ ଆବଶ୍ୟକ ସାମୁଦାୟିକ କେନ୍ଦ୍ର, ପ୍ରଶିକ୍ଷଣ କେନ୍ଦ୍ର ଓ ପାନୀୟଜଳ ସୁବିଧା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାର ଅସମ୍ପୂର୍ଣ୍ଣ ୨୦୩ଟି ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ ଶେଷ କରିବା ପାଇଁ ଆବଶ୍ୟକ ପାଣ୍ଠି ଓ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନେଇ ଆଲୋଚନା ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା, ଯଶୋଦା ଯୋଜନା ଏବଂ ଉତ୍କଳ ବାଳାଶ୍ରମରେ ଥିବା ଶିଶୁମାନଙ୍କ ଶିକ୍ଷା ଓ ନିଯୁକ୍ତି ସମ୍ପର୍କରେ ମଧ୍ୟ ତଥ୍ୟ ଦିଆଯାଇଥିଲା । ଜିଲ୍ଲାରେ ଆଉ ଏକ ବାଳାଶ୍ରମ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ହସ୍ତଶିଳ୍ପ କ୍ଷେତ୍ରରେ ଛଅ ମାସିଆ ପ୍ରଶିକ୍ଷଣ ଚାଲିଥିବା ବେଳେ ଜିଲ୍ଲାରେ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ପାଇଁ ଏକ ସ୍ୱତନ୍ତ୍ର ଦୋକାନ ସ୍ଥାପନ ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ମେଟାକାନି ଓ ସାହାଜପୀଟାଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରର ସୁପରିଚାଳନା ସହ ପାତାଳୀ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ପାଇଁ ଆଶ୍ରୟସ୍ଥଳୀ ବିକାଶ ଉପରେ ଆଲୋଚନା ହୋଇଥିଲା । ଖଣି କାର୍ଯ୍ୟ ପରେ କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର ନିଶ୍ଚିତ କରିବାକୁ ଖଣି ଅଧିକାରୀଙ୍କୁ କୁହାଯାଇଥିଲା । ଧାନ କ୍ରୟ ଓ ସଂରକ୍ଷଣ ବ୍ୟବସ୍ଥା ସୁଦୃଢ଼ କରିବା, ଖାଲି ସ୍ଥାନରେ ଗୋଦାମ ନିର୍ମାଣ ଏବଂ ବଡ଼ ଧାନ ସଂରକ୍ଷଣ ପାଇଁ ପ୍ରସ୍ତାବ ଦେବା ନେଇ ଆଲୋଚନା ହୋଇଥିଲା । ବୁଣାକାରମାନେ ମଧ୍ୟସ୍ଥଙ୍କ ବିନା ସିଧାସଳଖ ସୂତା କିଣିପାରିବା ପାଇଁ ବ୍ୟବସ୍ଥା କରିବା ସହ ଦଶ ଏକର ଜମିରେ ମଲବେରୀ ଚାଷ ପାଇଁ ପ୍ରସ୍ତାବ ଦିଆଯାଇଥିବା ଜଣାଯାଇଥିଲା । ଭୀମଭୋଇ ମଠ ବିକାଶ କାର୍ଯ୍ୟ, ଉଲୁଣ୍ଡା-ପାତାଳୀ, ଜେଲ୍ ଛକ-ପାତାଳୀ ଏବଂ ଖଲିଆପାଲି ରାସ୍ତାରେ, ତିନୋଟି ତୋରଣ ନିର୍ମାଣର ପ୍ରସ୍ତାବ ରଖିବା ପାଇଁ ବିଧାୟକ ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପାଞ୍ଚଟି ବ୍ଲକରେ କ୍ରୀଡ଼ା ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲିଥିବା ଏବଂ ପ୍ରତ୍ୟେକ ବ୍ଲକ ପାଇଁ ଦୁଇ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାଯାଇଥିଲା । ନୂତନ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସ ଏବଂ ବିଜୁ ପଟ୍ଟନାୟକ କଲେଜରେ ଛାତ୍ରବାସ ଓ ବହୁମୁଖୀ ଛାତ୍ରାବାସ ନିର୍ମାଣ ନେଇ ଆଲୋଚନା ହୋଇଥିଲା । ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ବିଦ୍ୟାଳୟ ପରିଦର୍ଶନ କରି ଭିତ୍ତିଭୂମିର ସୁରକ୍ଷା ଓ କାର୍ଯ୍ୟକ୍ଷମତା ଯାଞ୍ଚ କରିବାକୁ କୁହାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉରୁଣ୍ଡା ଓ ବିନିକାଠାରେ ସିଏସ୍ସି ଭବନ ନିର୍ମାଣକୁ ଅନୁମୋଦନ ମିଳିଥିବା ଏବଂ ଆସନ୍ତା ମାସରେ ଜିଲ୍ଲାକୁ ୨୨ ଜଣ ନୂତନ ଡାକ୍ତର ଆସିବାର ଥିବା ଜଣାଯାଇଥିଲା । ଏପର୍ଯ୍ୟନ୍ତ ୨,୩୫,୦୨୬ ଜଣଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି । କୃଷି ବିଭାଗ ପକ୍ଷରୁ ସାର ବଣ୍ଟନ ବ୍ୟବସ୍ଥା ଉପରେ ନଜର ରଖିବା ସହ ଅଚାନକ ପରିଦର୍ଶନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଗ୍ରାମୀଣ କାର୍ଯ୍ୟ ପ୍ରକଳ୍ପ, ଷ୍ଟାଡିୟମ ନିର୍ମାଣ ଓ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା । ବୈଠକରେ ସମସ୍ତ ବିଭାଗକୁ ନିଜ ନିଜ ଯୋଜନାର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରି ଲୋକଙ୍କୁ ଉନ୍ନତ ସେବା ଯୋଗାଇବାକୁ ବିଧାୟକ ଆହ୍ୱାନ ଦେଇଥିଲେ ।