jayashree

ପ୍ରସିଦ୍ଧ ମହାବଳୀ ଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଡ. ସୋମ୍ୟାରୂପା ରଥଙ୍କ ଅଧ୍ୟକ୍ଷତାରେ ମହାବଳୀ ଯାତ୍ରା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଷ୍ଟଚଣ୍ଡୀ ପୂଜକ ଓ ସେବାୟତଙ୍କ ସମେତ ପୋଲିସ ଅଧିକାରୀ, ଅଗ୍ନିଶମ ଅଧିକାରୀ, ମେଡିକାଲ କର୍ତ୍ତୃପକ୍ଷ, ପୌର ନିର୍ବାହୀ ଅଧିକାରୀ, ବଳିଯାତ୍ରା କମିଟିର ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ଲଡୁ କିଶୋର ମଲ୍ଲିକ, ଦୀପକ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଚଳିତ ବର୍ଷ ଅକ୍ଟୋବର ମାସର ପ୍ରଥମ ସପ୍ତାହରୁ ନବରାତ୍ରି ଓ ଦଶହରା ପର୍ବର ସମାପ୍ତି ପର୍ଯ୍ୟନ୍ତ ମହାବଳୀ ଯାତ୍ରା ପାଳନ କରାଯିବ । ଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୂଚାରୁ ରୂପେ ପାଳନ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ପରସ୍ପର ସମନ୍ୱୟ ରଖି ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଡ. ରଥ ଅନୁରୋଧ କରିଥିଲେ । ଯାତ୍ରା ସମୟରେ ଆଇନଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଅଧିକ ସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ମୁତୟନ କରାଯିବା ସହ ମଣ୍ଡପ ନିକଟରେ ମଧ୍ୟ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ବୈଠକରେ ସଂସ୍କୃତି ଅଧିକାରୀଙ୍କୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପାଇଁ ଦୁଇଟି ଟ୍ରୁପ୍‌ ଦେବା ପାଇଁ କୁହାଯାଇଥିଲା । ସେହିପରି ପୌର ପରିଷଦକୁ ଯାତ୍ରା ସମୟରେ ଆବଶ୍ୟକ ସଫେଇ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଏବଂ ରାସ୍ତା ଓ କୋଠାବାଡ଼ି ବିଭାଗକୁ ଆବଶ୍ୟକ ବ୍ୟାରିକେଡିଂ ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ମହାବଳୀ ଯାତ୍ରାକୁ ସୁନ୍ଦର, ଶୃଙ୍ଖଳିତ ଓ ସ୍ମରଣୀୟ ଭାବେ ପାଳନ କରିବା ପାଇଁ ସମସ୍ତ ସେବାୟତ ଓ ସମ୍ପୃକ୍ତ ବିଭାଗ ଆଗେଇ ଆସି ପୂର୍ଣ୍ଣ ସହଯୋଗ କରିବାକୁ ଡ. ରଥ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.