
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମହାରାଜା ସାଗରରୁ ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା ପୋଲିସ। ଉଦ୍ଧାର ପରେ ଡାକ୍ତରଖାନା ନେଇଥିଲା ପୋଲିସ । ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଘଟଣାର ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ସାରା ବଲାଙ୍ଗିର ଜିଲ୍ଲାରେ ବେଶ୍ ଚର୍ଚ୍ଚା ହେଉଥିଲା । ଟିଟିଲାଗଡ଼ ମହାରାଜା ସାଗରରୁ ଗତ ୨୫ ତାରିଖ ଅପରାହ୍ନ ୩.୩୦ ସମୟରେ ଜଣେ ଅଜଣା ବ୍ୟକ୍ତି ପଡିରହିଥିବା ନେଇ ଖବର ମିଳିଥିଲା । ବ୍ୟକ୍ତିଙ୍କ ନାକରୁ ରକ୍ତ ବୋହିବାରେ ଲାଗିଥିବା ବେଳେ ସେ ଅଚେତ ଅବସ୍ଥାରେ ପଡିରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଟିଟିଲାଗଡ଼ ଥାନାଧିକାରୀ ମନୋଜ କୁମାର ମୁଣ୍ଡା ଓ ଅନ୍ୟ ପୋଲିସ କର୍ମଚାରୀ ଆସି ସେହି ଅଜଣା ବ୍ୟକ୍ତିଙ୍କୁ ଉଠାଇ ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତର ସେଠାରେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅଜଣା ବ୍ୟକ୍ତିଙ୍କ ହାଇୱା ଧକ୍କାରେ ମୃତ୍ୟ ହେଲା କି ଖରା ଗରମରୁ ଅଂଶୁଘାତ ହୋଇ ମୃତ୍ୟୁ ହୋଇଛି, ତାହାର ସ୍ପଷ୍ଟ ଚିତ୍ର ଆଇ ଲଭ ଟିଟିଲାଗଡ ପାର୍କ ନିକଟରେ ଲାଗିଥିବା ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଥିଲା । ଉକ୍ତ ଘଟଣାକୁ ନେଇ ଆଜି ବଲାଙ୍ଗିର ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ମହାରାଜା ସାଗରରୁ ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା ଟିଟିଲାଗଡ଼ ଥାନା ପୋଲିସ, ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଛି । ତାଙ୍କ ମୃତ୍ୟୁ ହାଇୱା ଧକ୍କାକି ଅନ୍ୟ କୌଣସି ଅପରାଧିକ କାର୍ଯ୍ୟକଳାପରୁ ହୋଇନାହିିଁ, ବରଂ ତାଙ୍କ ମୃତ୍ୟୁ ଖରା ଗରମରୁ ଅଂଶୁଘାତ ଯୋଗୁଁ ହୋଇଛି ବୋଲି ବଲାଙ୍ଗିର ଏସ୍ପି ସ୍ପଷ୍ଟ କରିଛନ୍ତି । ତାଙ୍କ ପରିବାରର ଲୋକଙ୍କୁ ଖବର ଦିଆଯିବ ଓ ଶବକୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ବଲାଙ୍ଗିର ଏସ୍ପି କହିଛନ୍ତି ।