
ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟସ୍ତରୀୟ କବ୍ ବୁଲ୍ବୁଲ୍ ଉତ୍ସବରେ ବଲାଙ୍ଗିରର ସଫଳତା । ୧୭ଟି ଜିଲ୍ଲାର ୫୦୦ ଶିଶୁଙ୍କ ମଧ୍ୟରେ ନିଜ ପ୍ରତିଭା ଦେଖାଇଲେ କୁଡ଼ାସିଂହା ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରର ୬ ଜଣ ଛାତ୍ରଛାତ୍ରୀ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ହେଲେ ପୁରସ୍କୃତ । ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଛି ରାଜ୍ୟସ୍ତରୀୟ କବ୍ ବୁଲ୍ବୁଲ୍ ଉତ୍ସବ । ରାଜ୍ୟ ଯୁଗ୍ମ ସମ୍ପାଦିକା ଅନାମିକା ଦାସଙ୍କ ପରିଚାଳନା ଓ ଆୟୋଜନରେ ଅନୁଷ୍ଠିତ ଏହି ଉତ୍ସବକୁ ରାଜ୍ୟ ସ୍କାଉଟ୍ ଓ ଗାଇଡ୍ କମିଶନର କାଳୀପ୍ରସାଦ ମିଶ୍ର ଏବଂ ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ଓଡ଼ିଶାର ୧୭ଟି ଜିଲ୍ଲାରୁ ପ୍ରାୟ ୫୦୦ ଜଣ ଶିଶୁ ଯୋଗଦେଇଥିଲେ । ବଲାଙ୍ଗିର ସଦର ବ୍ଲକ୍ କୁଡ଼ାସିଂହାସ୍ଥିତ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରର ୬ ଜଣ ଶିଶୁ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଉତ୍ସବ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ନିଜର ଦକ୍ଷତା ଓ ପାରଦର୍ଶିତା ପ୍ରଦର୍ଶନ କରି ସେମାନେ ପୁରସ୍କୃତ ହୋଇଥିଲେ । ଏହି ସଫଳତା ପାଇଁ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସଭାପତି ଅତନୁ ସବ୍ୟସାଚୀ ନାୟକ ସମସ୍ତ କବ୍ ଓ ବୁଲ୍ବୁଲ୍ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଓ ଆତ୍ମବିଶ୍ୱାସ ବୃଦ୍ଧି କ୍ଷେତ୍ରରେ ଏଭଳି ଉତ୍ସବ ବେଶ୍ ସହାୟକ ହେଉଛି ।