jayashree

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେସିଙ୍ଗାର ୪୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେସିଙ୍ଗାର ଖେଳ ପଡ଼ିଆରେ ଆୟୋଜିତ ୪୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଦିନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହିତ ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡ଼ା ସମାରୋହରେ ବିଦ୍ୟାଳୟର ୯୦୪ ଜଣ ଶିଶୁ ୮୦ଟି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଉଦ୍‌ଯାପନୀ ସମାରୋହରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୀମାଞ୍ଚଳ ବୁଦ୍ଧିଆ ସଭାପତିତ୍ୱ କରି ଥିବାବେଳେ ଯୁଗ୍ମ ସମ୍ପାଦକ ଶମ୍ଭୁ ପ୍ରସାଦ ପଣ୍ଡା, କୋଷାଧ୍ୟକ୍ଷ ସଂଜୀବ ମାଝୀ ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରା ମଞ୍ଚାସୀନ ଥିଲେ । ବରିଷ୍ଠ ଗୁରୁଜୀ ଡୋଳାମଣି ବାଗ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କ୍ରୀଡ଼ା ସମାରୋହର ବିବରଣୀ ବିଦ୍ୟାଳୟର ଶାରୀରିକ ପ୍ରମୁଖ ରାଧୁ ବଗର୍ତ୍ତୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ଡ. ରମଣୀ ରଞ୍ଜନ ଦାସ ସୁନ୍ଦର ଭାବେ ପରିଚାଳନା କରିଥିବାବେଳେ ସୁରେନ୍ଦ୍ର ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ରୀଡ଼ା ଉତ୍ସବରେ ୩୯ ଜଣ ଗୁରୁଜୀ ଓ ଗୁରୁମା କ୍ରୀଡ଼ା ପରିଚାଳକ ଭାବେ ଦାୟିତ୍ୱ ତୁଳାଇଥିବାବେଳେ ୧୦ ଜଣ ସେବକ ଓ ସେବିକା ସହଯୋଗ କରିଥିଲେ । ଶିଶୁମାନଙ୍କ ଦ୍ୱାରା ଆକର୍ଷଣୀୟ ଶାରୀରିକ ପ୍ରଦର୍ଶନ, ସୂର୍ଯ୍ୟ ନମସ୍କାର ଓ ବିଭିନ୍ନ ଯୋଗାସନ ପ୍ରଦର୍ଶିତ ହୋଇଥିଲା । ଏହା ଉପସ୍ଥିତ ଦର୍ଶକମାନଙ୍କ ମନରେ ଉତ୍ସାହ ଓ ଆନନ୍ଦ ଭରିଦେଇଥିଲା । କ୍ରୀଡ଼ାରେ ସଫଳତା ହାସଲ କରିଥିବା ଶିଶୁମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିସହ ଅଭିଭାବକ, ଅଭିଭାବିକା, ପୂର୍ବତନ ଛାତ୍ର ଓ ଛାତ୍ରୀମାନେ ମଧ୍ୟ ବିଭିନ୍ନ ଖେଳରେ ଅଂଶଗ୍ରହଣ କରି କ୍ରୀଡ଼ା ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ ।

Leave A Reply

Your email address will not be published.